ବଜାରରେ ଜିଓ ଆଇପିଓର ଧମାକା: ଆଙ୍କର୍ ନିବେଶକଙ୍କ ୨.୫ ଲକ୍ଷ କୋଟିରୁ ଅଧିକ ଆବେଦନ

ମୁମ୍ବାଇ: ଜିଓ ପ୍ଲାଟଫର୍ମସର ଆଇପିଓ ଭାରତୀୟ ପୁଞ୍ଜି ବଜାର ଇତିହାସରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ୮,୧୧୦ କୋଟି ଟଙ୍କାର ଆଙ୍କର୍ ବୁକ୍ ପାଇଁ ଦେଶ ଓ ବିଶ୍ୱର ପ୍ରମୁଖ ସଂସ୍ଥାଗତ ନିବେଶକଙ୍କଠାରୁ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥାତ୍ ୩୦ ଗୁଣରୁ ଅଧିକ ଚାହିଦା ଆସିଛି। ଭାରତୀୟ ଆଇପିଓ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଇସ୍ୟୁ ପାଇଁ ସଂସ୍ଥାଗତ ନିବେଶକଙ୍କ ଆବେଦନ ଅଢେଇ ଲକ୍ଷ କୋଟି ଟଙ୍କାର ସୀମା ଅତିକ୍ରମ କରିଛି। ଏହି ରେକର୍ଡ଼ ଡିମାଣ୍ଡର ସବୁଠାରୁ ବଡ଼ ବିଶେଷତ୍ତ୍ୱ ହେଉଛି ଜିଓ ପ୍ରତି ବିଶ୍ୱସ୍ତରୀୟ ନିବେଶକଙ୍କ ଅଙ୍ଗୀକାରବଦ୍ଧତା। ଏଲଆଇସି ସମେତ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ୍, ଏଚଡିଏଫ୍‌ସି, ଆଇସିଆଇସିଆଇ ପୃଡେନ୍ସିଆଲ୍, କୋଟକ୍ ଏବଂ ନିପ୍ପନ୍ ଭଳି ଦେଶର ଶୀର୍ଷସ୍ଥାନୀୟ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାଗୁଡ଼ିକ ଆଙ୍କର୍ ବୁକ୍‌ରେ ସାମିଲ ଅଛନ୍ତି। ସେହିପରି ବ୍ଲାକରକ୍, କ୍ୟାପିଟାଲ୍ ଗ୍ରୁପ୍, ଫିଡେଲିଟି, ଶ୍ରୋଡର୍ସ, ଜେପି ମୋର୍ଗାନ୍ ଏବଂ ଆଲିଆଞ୍ଜ୍ ଭଳି ବିଶ୍ୱବିଖ୍ୟାତ ଆନ୍ତର୍ଜାତୀୟ ନିବେଶକ ମଧ୍ୟ ଏଥିରେ ଭାଗ ନେଇଛନ୍ତି। କେବଳ ମ୍ୟୁଚୁଆଲ୍ ଫଣ୍ଡ୍ ନୁହେଁ, ଜିଆଇସି, ଏଡିଆଇଏ, କ୍ୟୁଆଇଏ ଏବଂ ନର୍ଗେସ୍ ଭଳି ସାର୍ବଭୌମ ନିବେଶ ପାଣ୍ଠି ସହିତ ଦେଶ-ବିଦେଶର ବଡ଼ବଡ଼ ପେନସନ୍ ପାଣ୍ଠି ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି। ଏହି ଆଙ୍କର୍ ବୁକ୍‌ରେ ମୋଟ ୨୦୦ରୁ ଅଧିକ ନିବେଶକ ସଂସ୍ଥା ଏବଂ ଫଣ୍ଡ୍ ସ୍କିମ୍ ଅଂଶଗ୍ରହଣ କରିଛନ୍ତି। ଏଥିରେ ଡ୍ରାଗୋନିୟର୍, ଜାନସ୍ ହେଣ୍ଡରସନ୍, ନାଇଣ୍ଟି ୱାନ୍ ଭଳି ପ୍ରଯୁକ୍ତି କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଏନାମ୍, ପ୍ରେମଜି ଏବଂ ଏଚସିଏଲ୍ ଭଳି ଭାରତୀୟ ପ୍ରମୁଖ ଫ୍ୟାମିଲି ଅଫିସ୍ ମଧ୍ୟ ସାମିଲ ଅଛନ୍ତି। ଅଂଶଧନ ଆବଣ୍ଟନ ଦୃଷ୍ଟିରୁ ଏଲଆଇସିକୁ ସର୍ବାଧିକ ୫୦୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ପ୍ରମୁଖ ନିବେଶକ ଯଥା ବ୍ଲାକରକ୍, କ୍ୟାପିଟାଲ୍ ଇଣ୍ଟରନ୍ୟାସନାଲ୍, ଫିଡେଲିଟି, ଜିଆଇସି, ଏଚଡିଏଫ୍‌ସି, ଆଇସିଆଇସିଆଇ ଏବଂ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ପ୍ରାୟ ୪୨୫ କୋଟି ଟଙ୍କା ଲେଖାଏଁ ଆବଣ୍ଟନ କରାଯାଇଛି। ମୋଟ ଆଙ୍କର୍ ବୁକ୍‌ର ମୂଲ୍ୟ ୮,୧୧୦ କୋଟି ଟଙ୍କା ରହିଥିବାବେଳେ ଦେଶର ଏଯାବତ ସର୍ବବୃହତ ଜିଓ ପ୍ଲାଟଫର୍ମସର ଏହି ଆଇପିଓ ବଜାରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button