ଜନ୍ମମାଟିକୁ ଫେରିଯିବ ଜଗା

କଟକ:  ଜଗା କନ୍ଧମାଳ ଫେରିଯିବ। ଜଗାକୁ ଏସ୍‌ସିବିରୁ ଡିସଚାର୍ଜ କରାଯାଇ କନ୍ଧମାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯିବ । ଏଥିଲାଗି କନ୍ଧମାଳର ଜିଲ୍ଲାର ଏକ ଡାକ୍ତରୀ ଟିମ୍‌ ସୋମବାର ଏସ୍‌ସିବିରେ ପହଞ୍ଚି ଜଗାର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ତାର ଭବିଷ୍ୟତ ଚିକିତ୍ସା ବ୍ୟବସ୍ଥା ଓ ଯତ୍ନବାନ ଆଦି ପ୍ରସଙ୍ଗରେ ଏସ୍‌ସିବି ବିଶେଷଜ୍ଞ ଟିମ୍‌ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଜଗା କନ୍ଧମାଳ ଫେରିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥାରେ ରହିବ । ଏଥିଲାଗି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି ବୋଲି ଜଗାର ପରିବାର ଲୋକେ କହିଛନ୍ତି । ଯୋଡ଼ା ମୁଣ୍ଡ ଜଗା-ବଳିଆଙ୍କୁ ଅଲଗା କରାଯିବା ପରେ ଦୁଇ ବର୍ଷ ତଳେ ଦୁହିଁଙ୍କୁ ଏମ୍‌ସରୁ ଏସ୍‌ସିବିକୁ ଅଣାଯାଇଥିଲା। ତେବେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆର ଗତବର୍ଷ ମୃତ୍ୟୁ ହୋଇଯାଇଥିଲା । ଅନ୍ୟପକ୍ଷରେ ଜଗା ଏକୁଟିଆ ଏସ୍‌ସିବିରେ ରହୁଥିଲା। ତେବେ ଏସ୍‌ସିବିରେ ରହିବାରେ ସମସ୍ୟା ହେଉଥିବା ଦର୍ଶାଇ ଜଗାର ମା’ ପୁଷ୍ପାଞ୍ଜଳି କହଁର କନ୍ଧମାଳକୁ ଜଗାକୁ ସ୍ଥାନାନ୍ତରିତ କରିବାକୁ ନିବେଦନ କରିଥିଲେ। ପୁଷ୍ପାଞ୍ଜଳିଙ୍କ କହିବା କଥା, ଏମ୍‌ସରୁ ଡିସ୍‌ଚାର୍ଜ ହୋଇ ଏସ୍‌ସିବିରେ ଦୀର୍ଘ ଦିନ କାଳ ରହିବା ଭିତରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛୁ। ଘରଠୁ ବହୁ ଦୂରରେ ରହୁଥିବାରୁ ଟଙ୍କାପଇସା ଯୋଗାଡ଼ କରିବା ଆମ ପାଇଁ କଷ୍ଟକର ହୋଇପଡୁଛି। ଭଲମନ୍ଦରେ ଘରକୁ ଯିବା ପାଇଁ ବି ଅସମର୍ଥ ହେଉଛୁ। ତେଣୁ ୨ ମାସ ତଳେ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲି କନ୍ଧମାଳ ଡାକ୍ତରଖାନାକୁ ଜଗାକୁ ନେଇଯିବା ପାଇଁ। ମିଳିଥିବା ସୂଚନା ଅନୁସାରେ, ପୁଷ୍ପାଞ୍ଜଳିଙ୍କଠାରୁ ଜିଲ୍ଲାପାଳ ଦରଖାସ୍ତ ପାଇବା ପରେ ସରକାରୀସ୍ତରରେ ଘଟଣାର ଅନୁଧ୍ୟାନ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ଏ ସମ୍ପର୍କରେ ଏସ୍‌ସିବି ଡାକ୍ତରୀ ଟିମ୍‌ଙ୍କଠାରୁ ଜଗାର ସ୍ୱାସ୍ଥ୍ୟାବସ୍ଥା ଓ ତାର ସ୍ଥିତି ବାବଦରେ ବୁଝିବା ପରେ ଏସ୍‌ସିବିରୁ ସ୍ଥାନାନ୍ତର ପାଇଁ ସବୁଜ ସଙ୍କେତ ଦେଇଥିବାର ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button