ଶ୍ରୀମନ୍ଦିରରେ ଡ୍ରେସ୍ କୋଡ୍ ନିୟମକୁ ଫୁ’: ଜିନ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ଗର୍ଭଗୃହରେ ସେବାୟତ, ଅଧିକାରୀ

ଭୁବନେଶ୍ବର: ଶ୍ରୀମନ୍ଦିର ପରିସର ସବୁଠାରୁ ଭିନ୍ନ । ସେଠାରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଏଠାକୁ ପ୍ରତ୍ୟେକ ଦିନ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ଆସିଥାନ୍ତି । ସେମାନଙ୍କ ମନରେ ଅନେକ ଦୁଃଖ, କଷ୍ଟ ରହିଥିଲେ ସୁଦ୍ଧା ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଦର୍ଶନ କରିବା ପରେ ତାହା ଆପେ ଆପେ ମନରୁ ଉଭେଇଯାଏ । ଏପରିକି ତାହା ମଧ୍ୟରେ ରହିଥିବା ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ପରିବେଶରେ ମନ ପ୍ରଫୁଲ୍ଲ ରହିଥାଏ । ସେହି ଭକ୍ତିଭାବକୁ ଆହୁରି ଦୁଇଗୁଣ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ଓ ଅଧିକାରୀଙ୍କ ଲାଗି ଡ୍ରେସକୋଡ ଲାଗୁ କରାଯାଇଛି ।
ଏନେଇ ଗତ ୨୦୨୧ ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା । ତତ୍ ସହିତ ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୧ତାରିଖ ଅର୍ଥାତ୍ କୁମାରପୂର୍ଣ୍ଣିମାଠାରୁ ଏହି ନିୟମ ସେବାୟତଙ୍କ କ୍ଷେତ୍ରରେ ଲାଗୁ କରାଯିବ ବୋଲି ବୈଠକରେ ମୋହର ଲାଗିଥିଲା । ସେହିଭଳି ୨୦୨୧ ନଭେମ୍ବର ୫ତାରିଖରୁ ଶ୍ରୀମନ୍ଦିର କର୍ମଚାରୀ, ଜେଟିପିମାନଙ୍କ ଲାଗି ଲାଗୁ କରାଯାଇଥିଲା । ଏପରିକି ସେମାନେ ଭିତରକାଠ ନିକଟରୁ ରତ୍ନସିଂହାସନ ପର୍ଯ୍ୟନ୍ତ ପାରମ୍ପରିକ ପୋଷାକ ପରିଧାନ କରି ସେବାୟତମାନେ ନୀତିକାନ୍ତି କରିବା ସହ ଡ୍ୟୁଟିରେ ଥିବା କର୍ମଚାରୀମାନେ ପିନ୍ଧିବେ । ଏନେଇ ପୂର୍ବତନ ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଘୋଷଣା କରିଥିଲେ । ଏହାରି ମଧ୍ୟରେ ମୁଖ୍ୟ ପ୍ରଶାସକ ବଦଳିଯିବା ସହ ୧ ବର୍ଷ ବିତିଯାଇଥିଲେ ସୁଦ୍ଧା ସେହି ନିୟମକୁ କାର୍ଯ୍ୟ କରିବାରେ ଫେଲ୍ ମାରିଛି ପ୍ରଶାସନ । ଅନ୍ୟପକ୍ଷରେ ଏବେ ବି ସେବାୟତଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଜିନ୍ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଗର୍ଭଗୃହକୁ ସିଧାସଳଖ ପ୍ରବେଶ କରୁଛନ୍ତି । ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ବୁଦ୍ଧିଜୀବୀମାନେ କୁହନ୍ତି, ଶ୍ରୀମନ୍ଦିରରେ ଅଧିକାରୀ ବଦଳିରେ ବଦୁଳୁଛି ନିଷ୍ପତ୍ତି । ପୂର୍ବରୁ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା କ୍ରିଷନ କୁମାର ସେବାୟତ ଓ କର୍ମଚାରୀଙ୍କ ଲାଗି ଡ୍ରେସ୍‌କୋଡ୍ ନିୟମ ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ । ଏପରିକି କିଛି ଦିନ ଧରି ସେବାୟତମାନେ ମଧ୍ୟ ଡ୍ରେସ୍‌କୋଡ୍‌ରେ ଶ୍ରୀମନ୍ଦିରକୁ ଆସୁଥିଲେ । ଫଳରେ ସେହି ସମୟରେ ସେବାୟତମାନଙ୍କୁ ଦେଖିଲେ ଭକ୍ତଙ୍କ ମନରେ ଏକ ଅଲଗା ଭାବନା ଜାତ ହେଉଥିଲା । ହେଲେ ଅଧିକାରୀ ଜଣଙ୍କ ବଦଳିବା ପରେ ନୂତନ ଭାବେ ଯୋଗଦେଇଥିବା ଅଧିକାରୀ ସେହି କଟକଣା ନିୟମକୁ ସମ୍ପୂର୍ଣ୍ଣ ଭାବେ ଭୁଲିଗଲେ । ଫଳରେ ଏହାକୁ ନେଇ ଏବେ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ନୂତନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବାରମ୍ବାର ଛତିଶାନିଯୋଗ ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ ଡ୍ରେସକୋଡ କଟକଣାଉ ପରେ ଥରୁଟିଏ ଆଲୋଚନା ହୋଇନାହିଁ । ସୂଚନା ଥାଉ କି, ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବା ବେଳେ ଡ୍ରେସକୋଡ ନିୟମକୁ ଅଣଦେଖା କରିବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ ଘଟଣା । ତେବେ ଡ୍ରେସକୋଡ ନିୟମ ଲାଗୁ ନ ହେବା ଫଳରେ ଖୁଲମଖୋଲା ମହାପ୍ରଭୁଙ୍କ ପରମ୍ପରାକୁ କ୍ଷୁର୍ଣ୍ଣ କରାଯାଉଛି । ତେବେ ଆଗାମୀ ଦିନରେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାକୁ ସାଧାରଣ ଭକ୍ତଙ୍କ ମହଲରେ ଦାବି ଜୋର ଧରିଛି ।

Related Articles

Leave a Reply

Your email address will not be published.

Back to top button