ସରିଲା ଗୋପାଳର ନାର୍କୋ ଟେଷ୍ଟ

ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଠାରୁ ହତ୍ୟାର କାରଣ ଜାଣିବା ପାଇଁ ତଦନ୍ତକୁ ଜୋରଦାର କରିଛି କ୍ରାଇମ୍‌ବ୍ରାଞ୍ଚ । ରିମାଣ୍ଡ ସମୟରେ କ୍ରାଇମ୍‌ବ୍ରାଞ୍ଚ ଯେତେ ପଚରାଉଚରା କରିଥିଲେ ମଧ୍ୟ ଅଭିଯୁକ୍ତ ଗୋପାଳ କାରଣ କହିନାହିଁ । ଅଭିଯୁକ୍ତ ଗୋପାଳ ଦାସ ଠାରୁ ସତ ବାହାର କରିବା ପାଇଁ ନାର୍କୋ ଟେଷ୍ଟକୁ ଭରସା କରିଥିବା କ୍ରାଇମ୍‌ବ୍ରାଞ୍ଚ ଶେଷରେ ଆଜି ନାର୍କୋ ଟେଷ୍ଟ କରିଛି । ଗୁଜରାଟର ଗାନ୍ଧିନଗର ଲ୍ୟାବରେ ଅଭିଯୁକ୍ତ ଗୋପାଳର ହେଲା ନାର୍କୋ ଟେଷ୍ଟ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ନାର୍କୋ ଟେଷ୍ଟ ବେଳେ ଅନେକ ପ୍ରଶ୍ନର ସାମ୍ନା କରିଛି ଗୋପାଳ । ଗୋପାଳର ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ଟେଷ୍ଟ କରାଯିବା ପରେ ଇଞ୍ଜେକସନ ଦିଆଯାଇ ନାର୍କୋ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି । ନାର୍କୋ ଟେଷ୍ଟ ପରେ ଅଚେତ ଅବସ୍ଥାରେ ଅଛି ଅଭିଯୁକ୍ତ ଗୋପାଳ, କିଛି ଘଣ୍ଟା ପାଇଁ ତାଙ୍କ ନୀରିକ୍ଷଣରେ ରଖାଯିବ । ନାର୍କୋ ଟେଷ୍ଟରେ ଗୋପାଳଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରି ଗୁଳିକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତକାରୀ ସଂସ୍ଥା ଉଦ୍ୟମ କରିଥିବା ଜଣାପଡିଛି । ତେବେ ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚ ତରଫରୁ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ । ନାର୍କୋଟେଷ୍ଟ ପୂର୍ବରୁ ଗତ ୯ ତାରିଖରେ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରାଯାଇଥିଲା । ଆସନ୍ତାକାଲି ଗୋପାଳକୁ ଝାରସୁଗୁଡ଼ା ଅଣାଯିବ । କୋର୍ଟ ଅନୁମତି ଦେବା ପରେ ଗୋପାଳଙ୍କୁ ଓଡିଶାରୁ ଗୁଜୁରାଟକୁ ନିଆଯାଇଥିଲା ।

Related Articles

Leave a Reply

Your email address will not be published.

Back to top button