୨୦୨୩ ବିଶ୍ବକପ୍‌ ସର୍ବଶ୍ରେଷ୍ଠ ଆୟୋଜନ : ଇକ୍ରାମ୍‌

ଭୁବନେଶ୍ବର : ଓଡ଼ିଶା ବିଶ୍ବ ହକିରେ ନୂଆ ବିପ୍ଲବ ଆଣିଛି । କ୍ରମାଗତ ୨ ଥର ବିଶ୍ବକପକୁ ସଫଳତାର ସହ ଆୟୋଜନ କରି ବିଶ୍ବରେ ହକିର ଲୋକପ୍ରିୟତାକୁ ବୃଦ୍ଧି କରିବାରେ ସଫଳ ହୋଇଛି। ୨୦୧୮ ପରେ ୨୦୨୩ ବିଶ୍ବକପ ଆଉ ଏକ ସଫଳ ଓ ସର୍ବଶ୍ରେଷ୍ଠ ଆୟୋଜନ ବୋଲି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌) ସଭାପତି ତାୟବ ଇକ୍ରାମ୍‌ କହିଛନ୍ତି। ରବିବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଇକ୍ରାମ୍‌ କହିଛନ୍ତି ଯେ, ଓଡ଼ିଶା ସରକାର କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ବିଶ୍ବକପକୁ ସଫଳତାର ସହିତ ପରିଚାଳନା କରିଛନ୍ତି। ୨ଟିଯାକ ସ୍ଥାନ ଭୁବନେଶ୍ବର ଓ ରାଉରକେଲାରେ ଚମତ୍କାର ପ୍ରସ୍ତୁତି ରହିଥିଲା। ବିଶେଷକରି ରାଉରକେଲାର ନୂତନ ଷ୍ଟାଡିୟମ ଓ ହକି ପ୍ରତି ଉତ୍ସାହ ବିଶ୍ବ ହକିକୁ ନୂଆ ପ୍ରେରଣା ଯୋଗାଇଛି। ୨୦୨୩ ବିଶ୍ବକପ ବିଶ୍ବ ହକିର ସର୍ବଶ୍ରେଷ୍ଠ ଆୟୋଜନ କହିଲେ କୌଣସି ଭୁଲ ହେବ ନାହିଁ ବୋଲି ଇକ୍ରାମ୍‌ କହିଛନ୍ତି।

ପ୍ରତିଯୋଗିତାକୁ ସଫଳ ଆୟୋଜନ ନେଇ ଇକ୍ରାମ୍‌ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଖେଳାଳିଙ୍କ ଯାତାୟତ, ଶୃଙ୍ଖଳିତ ପରିଚାଳନା, ଲୋକପ୍ରିୟତା ନେଇ ଓଡ଼ିଶା ସରକାରଙ୍କ ସମସ୍ତ ପ୍ରସ୍ତୁତି ଆମକୁ ନୂଆ ଉନ୍ମାଦନା ଯୋଗାଇଛି ବୋଲି ଇକ୍ରାମ୍‌ କହିଛନ୍ତି। ପୂର୍ବ ବିଶ୍ବକପ ଅପେକ୍ଷା ଚଳିତ ବିଶ୍ବକପରେ ଟେଲିଭିଜନ ଦର୍ଶକ ଓ ଲୋକପ୍ରିୟତା ବୃଦ୍ଧିପାଇଛି। ବିଶ୍ବର କୋଣ ଅନୁକୋଣରେ ଦର୍ଶକ ହକିକୁ ଗ୍ରହଣ କରିଛନ୍ତି। ଭୁବନେଶ୍ବର ଓ ରାଉରକେଲାରେ ସ୍ଥାନୀୟ ଦର୍ଶକ ସହ ବିଦେଶୀ ଦର୍ଶକଙ୍କୁ ମଧ୍ୟ ବିଭିନ୍ନ ମ୍ୟାଚରେ ବହୁମାତ୍ରାରେ ଦେଖିବାକୁ ମିଳିଥିଲା ବୋଲି ଏଫ୍‌‌ଆଇଏଚ୍‌‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଥେରି ୱେଲ୍‌‌ କହିଛନ୍ତି। ହକିକୁ ବିଶ୍ବବ୍ୟାପୀ କରିବା ନେଇ ଆମର ପ୍ରୟାସ ଜାରି ରହିଛି। ଏଭଳି ସ୍ଥିତିରେ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ୱେଲ୍‌‌ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button