ପଟିଆ ଷ୍ଟେସନରେ ଗଣଦୁଷ୍କର୍ମ ମାମଲା: ରିପୋର୍ଟ ମାଗିଲେ ଏନ୍ଏଚ୍ଆର୍ସି
ଭୁବନେଶ୍ୱର: ଦୁଇ ନାବାଳିକାଙ୍କ ହାତଗୋଡ଼ ବାନ୍ଧି ରାତିତମାମ ଦୁଷ୍କର୍ମ କରିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) । ଏନେଇ ଆୟୋଗ ଅଧ୍ୟକ୍ଷ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାପାଳ ଓ ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ୪ ସପ୍ତାହ ମଧ୍ୟରେ ମାମଲାର କାର୍ୟ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଛନ୍ତି ।ଗତ ୧୬ ତାରିଖ ସନ୍ଧ୍ୟାରେ ପଟିଆ ରେଳ ଷ୍ଟେସନକୁ ଦୁଇଜଣ ନାବାଳିକା ବୁଲିବାକୁ ଯାଇଥିଲେ । ଷ୍ଟେସନରେ ଛକିଥିବା ଦୁଇଜଣ ଯୁବକ ସେମାନଙ୍କୁ ଅପହରଣ କରି ନେଇଥିଲେ । ରେଳ ଷ୍ଟେସନ ଓଭରବ୍ରିଜ ନିକଟ ଏକ ନିଛାଟିଆ ଜାଗାରେ ୨ ନାବାଳିକାଙ୍କ ଗୋଡ଼ହାତ ବାନ୍ଧି ରାତିତମାମ ଦୁଷ୍କର୍ମ କରିଥିଲେ । ଜଣେ ପୀଡିତାଙ୍କ ମା’ ଇନଫୋସିଟି ଥାନାରେ ଅଭିଯାଗ କରିଥିଲେ । ଚାଇଲ୍ଡଲାଇନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁଲିସ ସହାୟତାରେ ଉଭୟ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା । ଜିଆର୍ପି ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା । ପୁଲିସ ଘଟଣା ପରଦିନ ମୁଖ୍ୟ ଅଭିଯୁକ୍ତ ବାଙ୍କୀ ପଦନପୁରର କାହ୍ନା ଓରଫ କୃଷ୍ଣଚନ୍ଦ୍ର ମଲ୍ଲିକକୁ ଗିରଫ କରିଥିଲା । ଦୁଇଦିନ ପରେ ଅନ୍ୟ ଅଭିଯୁକ୍ତ ବୁଲୁକୁ ମଧ୍ୟ ଗିରଫ କରାଯାଇଥିଲା । ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଏନେଇ ଜାତୀୟ ମାନବାଧିକାର ଆୟୋଗଙ୍କଠାରେ ପିଟିସନ ଦାଖଲ କରିଥିଲେ ।