ସିଂହନାଥ ପୀଠରେ ଅଘଟଣ: ମକର ମେଳା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା, ୨୦ରୁ ଉର୍ଦ୍ଧ୍ୱ ଗରୁତର

କଟକ: କଟକ ଜିଲ୍ଲା ପ୍ରସିଦ୍ଧ ସିଂହନାଥ ପୀଠରେ ଅଘଟଣ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେତୁ ଦଳାଚକଟା ହୋଇ ୨୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ମହାନଦୀ ଉପରେ ନିର୍ମିତ ଟି-ବ୍ରିଜ୍‌ରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେତୁ ଏଭଳି ଅବସ୍ଥା ଘଟିଥିବା ଜଣାପଡ଼ିଛି । ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଥିବା ଶ୍ରଦ୍ଧାଳୁମାନେ ହେଲେ ଖଣ୍ଡପଡ଼ାର ଆଦ୍ୟଶ ସାହୁ(୮), ବାଙ୍କୀର କେଶବ ଲେଙ୍କା(୧୧), ନରସିଂହପୁରର ସୁମିତ୍ରା ସାହୁ(୧୦) ଏବଂ ବାଙ୍କୀର ସ୍ୱର୍ଣ୍ଣଲତା ପଣ୍ଡା(୫୨) । ତେବେ ଆଦ୍ୟଶ ସାହୁ ଓ ସୁମିତ୍ରା ସାହୁଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଆଜି ଅପରାହ୍ନରେ ଦଳାଚକଟା ଯୋଗୁଁ ବହୁ ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି । ଗୁରୁତରମାନଙ୍କୁ ବଡ଼ମ୍ବାସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଶଙ୍କଟାପନ୍ନ ଅବସ୍ଥାରେ ଥିବା ଗୁରୁତରମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାରେ ୨୦ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ଭିତରେ ୪ ମହିଳା ଓ ୩ ଶିଶୁ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଶ୍ରଦ୍ଧାଳୁ ଜଣକ ମହିଳା ହୋଇଥିବା ବେଳେ ବଡ଼ମ୍ବା ନିମସାହି ଆଇଁଶିଆ ଗାଁର ଅଞ୍ଜନା ସ୍ୱାଇଁ (୪୫) ବୋଲି ଜଣାପଡ଼ିଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଅନ୍ୟ ଗୁରୁତର ବ୍ୟକ୍ତିମାନଙ୍କ ପରିଚୟ ମିଳି ପାରିନାହିଁ । ଏହି ମେଳାରେ କଟକ, ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପ୍ରବଳ ଭିଡ଼ ଯୋଗୁଁ ପ୍ରଥମେ ଠେଲାପେଲା ଓ ପରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ବ୍ରିଜ୍ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ତେବେ ଏଠାରେ ହୋଇଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ବୈଦେଶ୍ୱର ଓ ଗୋପୀନାଥକୁ ସଂଯୋଗ କରୁଥିବା ଏହି ବ୍ରିଜ୍ ଯୋଗେ ଲୋକଙ୍କୁ ସିଂହନାଥ ପୀଠ ଏବଂ ମେଳା ପଡ଼ିଆରେ ପହଞ୍ଚିବା ସୁବିଧାଜନକ ହୋଇଥିବାରୁ ଆଜି ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା । ବ୍ରିଜ ଗୋଟିଏ ପାର୍ଶ୍ୱରେ ପଦଚଲା ଲୋକେ ଯାଉଥିବା ବେଳେ ଅନ୍ୟପଟେ ଗାଡ଼ିମୋଟର ଯାତାୟତ କରୁଥିଲା । ହେଲେ ଆବଶ୍ୟକ ପୁଲିସ ଓ ଟ୍ରାଫିକ୍ ଶୃଙ୍ଖଳା ବ୍ୟବସ୍ଥା ନଥିବାରୁ ବ୍ରିଜ୍ ଉପରେ ହାଠତ୍ ଜାମ୍ ହୋଇ ଯାଇଥିଲା । ଫଳରେ ଠେଲାପେଲା ସହ ଦଳାଚକଟା ହୋଇଥିଲା । ଦଳାଚକଟା ବେଳେ ବ୍ରିଜ୍ ଉପରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଥିବା ଆକଳନ କରାଯାଇଛି । ତେବେ ବ୍ରିଜ୍ ତଳେ ପୀଠକୁ ପହଞ୍ଚିବା ନିମନ୍ତେ ଏକ ମାଟି ଚଲା ରାସ୍ତା ଥିଲେ ମଧ୍ୟ ଏକାକୁ ବନ୍ଦ କରି ଦିଆଯାଇଥିଲା । ବ୍ରିଜର ଉଭୟ ପାର୍ଶ୍ୱରୁ ପ୍ରାୟ ୪ କିଲୋମିଟର ଚଲାପଥ ରାସ୍ତା ଏହି ପୀଠକୁ ରହିଥିଲା । ଦଳାଚକଟା ପରେ ଲୋକଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ପୁଲିସ ପକ୍ଷରୁ ଡାକବାଜି ଯୋଗେ ପ୍ରଚାର କରି କୁହାଯାଉଛି । ବ୍ରିଜ୍ ଉପରେ ଲୋକଙ୍କୁ ଅଟକାଇ ଘରକୁ ଚାଲିଯିବାକୁ ମଧ୍ୟ କୁହାଯାଉଛି । ତେବେ ଏଭଳି ଅଘଟଣ ଘଟିବା ପରେ ମନ୍ଦିରକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି । ନଥିଲା ପ୍ରଶାସନର ଆକଳନ: କଟକ ଜିଲ୍ଲା ବଡ଼ମ୍ବାସ୍ଥିତ ସିଂହନାଥଙ୍କ ପୀଠ ଏକ ଐତିହାସିକ ଧର୍ମାନୁଷ୍ଠାନ । ରାଜ୍ୟ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି । ତେବେ ଚଳିତ ବର୍ଷ ଏହି ପୀଠରେ କେତେ ଶ୍ରଦ୍ଧାଳୁଙ୍କ ଆଗମନ ହେବ ସେ ନେଇ ଜିଲ୍ଲାପ୍ରଶାସନ କିମ୍ବା ସ୍ଥାନୀୟ ପୁଲିସ ପ୍ରଶାସନ କେହିବି ଆକଳନ କରିନଥିଲେ । ତେଣୁ ପ୍ରଶାସନ ପକ୍ଷରୁ ସେଠାରେ ମାତ୍ର ୩ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିଲା । କିନ୍ତୁ ସେଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାରୁ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ତେଣୁ ଏହା ପ୍ରଶାସନିକ ଅବହେଳା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଉଠାଇଛନ୍ତି । ଅଞ୍ଚଳବାସୀଙ୍କ କହିବାନୁଯାୟୀ ଯେତେବେଳେ ଏଠାରେ ଟି-ବ୍ରିଜ ନିର୍ମାଣ ହୋଇନଥିଲା ସେତେବେଳେ ଏଠାକୁ ଡଙ୍ଗାରେ ପ୍ରାୟ ୩୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେଣୁ ଦୀର୍ଘ ବର୍ଷ ଧରି କରୋନା କଟକଣା ଦୀର୍ଘ ଦିନ ଧରି ଲୋକେ ଏଠାକୁ ଆସିନଥିଲେ । ଇତି ମଧ୍ୟରେ ଟି-ବ୍ରିଜ ଦେଖିବା ପାଇଁ ତଥା ବ୍ରିଜରେ ସହଜରେ ପୀଠକୁ ଯିବା ବ୍ୟବସ୍ଥା ହୋଇଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ଏଠାକୁ ଚାଲିଆସିଥିଲେ । କିନ୍ତୁ ଏତେ ଜନସମାଗମ ହେବା ସତ୍ତ୍ୱେ ପ୍ରଶାସନିକ ଅଧିକାରୀ କୌଣସି ପଦକ୍ଷେପ ନେବା ବଦଳରେ ହାତଟେକି ଦେଇଥିବା ଅଭିଯୋଗ ହେଉଛି । ତେବେ ଆହତମାନଙ୍କୁ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀ ପୂର୍ବ ବିଧାୟକ ପ୍ରଭାତ ତ୍ରିପାଠୀ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ରଘୂପତି ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର ସାହୁ, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆହତମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବନ୍ଦୋବସ୍ତ କରିଥିଲେ ।
ଦୁର୍ଘଟଣା ପରେ ଏସ୍‌ସିବି ପ୍ରସ୍ତୁତ: କଟକ ଜିଲ୍ଲା ବଡମ୍ବାସ୍ଥିତ ଟି-ବ୍ରିଜରେ ଘଟିଥିବା ଅଘଟଣରେ ପ୍ରାୟ ୨୦ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବଡ଼ମ୍ବାସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଶଙ୍କଟାପନ୍ନ ଥିବା ୩ଜଣ ରୋଗୀମାନଙ୍କ ଉନ୍ନତ ଚିକିତ୍ସା ନିମନ୍ତେ କଟକ ବଡ଼ମେଡ଼ିକାଲ(ଏସସିବି)କୁ ସ୍ଥାନାନ୍ତର କରାଯାଇଛି । ତେବେ କଟକ ବଡ଼ମେଡ଼ିକାଲରେ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଚିକିତ୍ସା ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏସସିବିର ସର୍ଜରୀ, ଅର୍ଥପେଡିକ ଓ ନ୍ୟୁରୋସର୍ଜରୀ ବିଭାଗ ଆଲର୍ଟ ଅଛନ୍ତି । ଅତ୍ୟନ୍ତ ଗୁରୁତରଙ୍କ ପାଇଁ ଆଇସିୟୁ ବେଡ ପ୍ରସ୍ତୁତ ରଖାଯାଇଛି ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରକାଶ କରିଛନ୍ତି । ପୁନଶ୍ଚ ଏ ନେଇ ଏସିବି ଅଧିକ୍ଷକ ସୁଧାଂଶୁ ମିଶ୍ର କହିଛନ୍ତି ଯେ, ୩ ଜଣ ଗୁରୁତରଙ୍କ ମଧ୍ୟରୁ ଜଣକୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କର ଶରୀରରେ ମଲଟିପୁଲ ଇଂଜୁରି ରହିଛି ବୋଲି ପ୍ରାଥମିକ ଚିକିତ୍ସା ପରେ ଜଣାପଡ଼ିଛି । ଅନ୍ୟ ଜଣଙ୍କ ସିଟି ସ୍କାନ କରାଯାଇଥିବା ବେଳେ ଆଉଜଣେ ସୁସ୍ଥ ଥିବା କହିଛନ୍ତି । ସେହିଭଳି ଅନ୍ୟ ଆହତମାନେ ବଡ଼ମ୍ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଯଦି ଆଉ କେହି ଏସସିବିକୁ ଆସନ୍ତି ତେବେ ସେମାନଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇବା ପାଇଁ ସ୍ୱତନ୍ତ୍ର ଟିମ ଆଲର୍ଟ କରାଯାଇଥିବା ସେ କହିଛନ୍ତି । ଆହତଙ୍କୁ ଭେଟିଲେ ଜିଲ୍ଲାପାଳ: ବଡ଼ମ୍ବା ନିକଟ ମହାନଦୀର ଟି-ସେତୁରେ ଦଳାଚକଟା ପରେ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ଆଜି ରାତିରେ ଭେଟିଛନ୍ତି । ଏସସିବିରେ ଭର୍ତ୍ତି ହୋଇଥିବା ୩ ଜଣ ଶିଶୁଙ୍କୁ ଭେଟିଲା ପରେ ଜିଲ୍ଲାପାଳ ଡକ୍ଟର ଚୟନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଆକଳନ ଠାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ସେତୁ ଉପରକୁ ଆସି ଯାଇଥିଲେ, ଯେଉଁଥି ପାଇଁ ଏହି ଅଘଟଣ ଘଟିଛି । ତେବେ ଏହି ଦିଗରେ ଉଚ୍ଚସ୍ତରୀୟ ତଦନ୍ତ ଓ ଅନୁଧ୍ୟାନ କରାଯିବ । ସେ କହିଛନ୍ତି ଯେ, ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଆର୍ôଥକ ସାହୟତା ଘୋଷଣା କରିଥିବାବେଳେ ଆହତଙ୍କୁ ୧୦ ହଜାର ଓ ମୃତକଙ୍କୁ ୨୦ ହଜାର ଟଙ୍କା ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

Related Articles

Leave a Reply

Your email address will not be published.

Back to top button