ପ୍ରଫେସର ବିଭୂତି ଭୂଷଣ ଓୟୁଟିଆରର ନୂଆ କୁଳପତି

ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)ର ନୂଆ କୁଳପତି ଭାବେ ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ବିଶ୍ୱାଳଙ୍କୁ ୪ ବର୍ଷ ଲାଗି ଏହି ନିଯୁକ୍ତି ଦେଇଛନ୍ତି । ପ୍ରଫେସର ବିଶ୍ୱାଳ ବର୍ତ୍ତମାନ ମେଘାଳୟ ଆଇଆଇଟିର ନିର୍ଦେଶକ ରହିଛନ୍ତି । ସେ ୩ଟି ପୁସ୍ତକ ରଚନା କରିଛନ୍ତି । ଶିକ୍ଷକତା କ୍ଷେତ୍ରରେ ତାଙ୍କର ୩୬ ବର୍ଷର ଅଭିଜ୍ଞତା ରହିଛି । ସେ ୨୪ ଜଣ ପିଏଚଡି ଓ ୪୫ ଜଣ ପିଜି ସ୍କଲାରଙ୍କୁ ସଫଳତାର ସହ ଗାଇଡ୍ କରିଛନ୍ତି । ସୂଚନାଯୋଗ୍ୟ, ୨୦୨୧ ସେପ୍ଟେମ୍ବର ୪ରେ ଓଡ଼ିଶା ବିଧାନସଭାରେ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ବିଲ-୨୦୨୧ ପାରିତ ହୋଇଥିଲା । ଭୁବନେଶ୍ୱରସ୍ଥିତ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି(ସିଇଟି)ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)କୁ ଉନ୍ନୀତ ହୋଇଥିଲା । ପ୍ରଫେସର ବିଶ୍ୱାଳ ଯାଦବପୁର ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିବା ବେଳେ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଗତବର୍ଷ ତାଙ୍କୁ ଏଜୁକେସନାଲ ଲିଡରସିପ୍ ଆୱାର୍ଡ ମଧ୍ୟ ମିଳିଥିଲା । ପୂର୍ବରୁ ତାଙ୍କୁ ଭାରତ ଶିକ୍ଷା ଗୌରବ ପୁରସ୍କାର ବି ମିଳିଥିଲା ।

Related Articles

Leave a Reply

Your email address will not be published.

Back to top button