ବିଏସ୍‌କେୱାଇରେ ଜାଲିଆତି ଉପରେ କଡ଼ା ନଜର ରଖ: ସଚିବ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ ନାମରେ କୌଣସି ପ୍ରକାର ଜାଲିଆତି ବା ଠକାମିର ସମ୍ଭାବନା ଉପରେ କଡ଼ା ନଜର ରଖିବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ ବିଏସ୍‌କେୱାଇ ଟିମଙ୍କୁ ନିର୍ଦେଶ ଦେଇଛନ୍ତି । ଠକାମି ବିରୁଦ୍ଧରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆଇନ ଏବଂ ବିଏସ୍‌କେୱାଇ ପ୍ରବର୍ତ୍ତନ ବ୍ୟବସ୍ଥା ଅନୁସାରେ ଏପରି ଠକ ମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ “ରାଜ୍ୟବାସୀଙ୍କୁ ସାର୍ବଜନୀନ ଗୁଣାତ୍ମକ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର । ଏଥିପାଇଁ ଉପଯୁକ୍ତ ଆର୍ଥିକ ଓ ପ୍ରଶାସନ ବ୍ୟବସ୍ଥା ସହ ବିଏସ୍‌କେୱାଇ ଯୋଜନା ଚାଲୁରହିଛି । ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କରାଯାଇଥିବା ସୁବିଧାର ଅପବ୍ୟବହାର ବା ବିଏସ୍‌କେୱାଇ ନାମରେ ଠକେଇକୁ କୈାଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ, ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । କାର୍ଡ଼ ବିଷୟରେ କୈାଣସି ସନ୍ଦେହ ବା ପ୍ରଶ୍ନ ଥିଲେ ସିଧାସଳଖ ଟୋଲ-ଫ୍ରୀ ନମ୍ବର ବା ଜିଲ୍ଲା ସଂଯୋଜକଙ୍କ ସହ ଯୋଗଯୋଗ କରିବାକୁ ଶ୍ରୀମତୀ ପଣ୍ଡିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଂଯୋଜକମାନେ ସାଧାରଣତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ ଥାଆନ୍ତି । ସ୍ୱାସ୍ଥ୍ୟମିତ୍ରମାନେ ସାଧାରଣତଃ ବିଏସ୍‌କେୱାଇ ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ମାନଙ୍କରେ ବିଏସ୍‌କେୱାଇ କାଉଣ୍ଟର ଠାରେ ଉପସ୍ଥିତ ରହି ସେବା ଯୋଗାଇ ଥାଆନ୍ତି । ଯେଉଁ ପରିବାରଙ୍କର ବିଏସ୍‌କେୱାଇ ସ୍ମାର୍ଟକାର୍ଡ଼ ଅଛି ବା ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇଁ ଯୋଗ୍ୟ । କାର୍ଡ଼ ସମ୍ବନ୍ଧିତ କୈାଣସି ସନ୍ଦେହ ବିଶୟ ୧୫୫୩୬୯ ଟୋଲ-ଫ୍ରୀ ନମ୍ବରକୁ ସିଧାସଳଖ ଜଣାଇଲେ ତାହାର ସଠିକ ସମାଧାନ ଦେବ । ଲୋକମାନେ ଦେୟମୁକ୍ତ ଚିକିତ୍ସା ପାଇଁ ପସନ୍ଦ ଅନୁସାରେ ତାଲିକାଭୁକ୍ତ ହସପିଟାଲକୁ ଯିବା ପୂର୍ବରୁ ମଧ୍ୟ ୧୦୪ ନମ୍ବର ମାଧ୍ୟମରେ ପ୍ରାକ୍‌- ଯୋଗଯୋଗ କରି ବୁଝିପାରିବେ । ନହେଲେ ଜରୁରୀ ସ୍ଥିତିରେ ସିଧା ସଳଖ ହସ୍ପିଟାଲରେ ପହଂଚି ସ୍ୱାସ୍ଥ୍ୟମିତ୍ରଙ୍କ ସହାୟତା ନେଇପାରିବେ । ବିଏସ୍‌କେୱାଇ ବାବଦରେ ନିଜର ଅଭିଯୋଗ ବା ପ୍ରଶ୍ନ ୧୪୫୪୫ କୁ ଜଣାଇ ପାରିବେ । ଏହି ସବୁ ନାଗରିକ-କୈନ୍ଦ୍ରୀକ ଯୋଗାଯୋଗ ପଏଣ୍ଟ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ପଣ୍ଡିତ ବିଏସ୍‌କେୱାଇ ଟିମକୁ ନିର୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button