ଆଜି ବିଶ୍ୱକପ ହକିର ଉଦ୍‌ଘାଟନୀ ଉତ୍ସବ

କଟକ: ଆଜି ଦୁଲୁକିବ ବାରବାଟୀ ଷ୍ଟାଡିୟମ  ।   ବିଶ୍ୱକପ ହକିର ଉଦ୍‌ଘାଟନୀ ଉତ୍ସବ ନିମନ୍ତେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ । ଏହି କାର୍ୟ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ପୁରା ସହର ସମେତ ଷ୍ଟାଡିୟମକୁ  ସଜାଯାଇଛି । ଆସନ୍ତା ୧୩ରୁ ୨୯ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ୍‌ ।  ଏହି କାର୍ୟ୍ୟକ୍ରମକୁ  ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।  ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ  ।  ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କର ବି ଜବରଦସ୍ତ ଡ୍ୟାନ୍ସ ପରଫର୍ମାନ୍ସ କାର୍ୟ୍ୟକ୍ରମ ରହିଛି। ଉଦଘାଟନୀ ଉତ୍ସବର ମଜା ଉଠାଇବାକୁ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ  ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ଓ୍ୱାର୍ଡ଼ରେ ମଧ୍ୟ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା ହୋଇଛି  । ଉଦଘାଟନୀ ଉତ୍ସବ ପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦୦ ଅଫିସରଙ୍କ ସହ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ୱରେ ରହିବେ । ରିଙ୍ଗ ରୋଡରୁ ବାରବାଟୀ ଯାଏଁ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଖାଦ୍ୟ ପଦାର୍ଥ, ପାଣି ବୋତଲ ସହ ଫୋଫାଡିଲା ଭଳି ଜିନିଷ ଛଡାଯିବନି। ଷ୍ଟାଡିୟମ ଭିତରେ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣି ଷ୍ଟଲ୍ କରାଯାଇଛି । ଉଦଘାଟନୀ ଉତ୍ସବରେ ହଜାର ହଜାର ଦର୍ଶକଙ୍କ ସମାଗମକୁ ଦୃଷ୍ଟିର ରଖି ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରାଯାଇଛି । ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ଷ୍ଟାର ଆଟ୍ରାକସନ୍ ହେଉଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ। ଗତକାଲି ଉଭୟ ସେଲିବ୍ରିଟି ଭୁବନେଶ୍ୱରରେ ପହଞ୍ଚି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ କଳାକାରମାନେ ବାରବାଟୀ ଷ୍ଟାଡିୟମ୍ ଯାଇ ଅଭ୍ୟାସ କରିଥିଲେ ।

Related Articles

Leave a Reply

Your email address will not be published.

Back to top button