ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସ୍‌ଏସ୍ ଯନ୍ତ୍ରୀ

ଭୁବନେଶ୍ୱର : ପୁଣି ଭିଜିଲାନ୍ସ ଟାର୍ଗେଟରେ ଆରଡବ୍ଲୁଏସ୍‌ଏସ୍‌ର ଯନ୍ତ୍ରୀ । ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଲ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଆରଡବ୍ଲୁଏସ୍‌ଏସ୍‌ର ସୁପରିଟେଣ୍ଡିଂ ଇଞ୍ଜିନିୟର ତଥା ପରଜଙ୍ଗ ବିଧାୟକ ବିଜୟ କୁମାର ସାହୁଙ୍କ ପୁତୁରା ବିଜୟାନନ୍ଦ ସାହୁ । ବିଜୟାନନ୍ଦଙ୍କ ଏକକାଳିନ ୬ଟି ଠିକଣା ଉପରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଯେଉଁଥିରେ ରହିଛି ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମେତ ତାଙ୍କ ଶାଳୀଙ୍କ ଘର ଏବଂ ଖଣ୍ଡଗରିସ୍ଥିତ ଅଫିସ କାର୍ଯ୍ୟାଳୟ । ଚଢାଉ ସମୟରେ ବିପୁଳ ସମ୍ପତ୍ତି ମିଳିଥିଲା ବେଳେ ଜମି ଏବଂ ଘର କିଣାବିକାରେ ବେନାମୀ ଟଙ୍କା କାରବାର ହୋଇଥିବା ଅନୁମାନ କରାଯାଉଛି । ଭିଜିଲାନ୍ସ ପକ୍ଷରୁ ତାଙ୍କର ୩ଟି ଅଟାଳିକା, ବିଭିନ୍ନ ସ୍ଥାନରେ ଥିବା ୧୪ଟି ପ୍ଲଟ୍‌, ୧.୮ ଲକ୍ଷ ଟଙ୍କାର କ୍ୟାସ୍ ଏବଂ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ବୀମାରାଶି, ୨୩୭ ଗ୍ରାମ୍ ସୁନା, ୨୭ ଲକ୍ଷ ଟଙ୍କାର ସେଲ ଡିଡ୍ ଏପର୍ଯ୍ୟନ୍ତ ଠାବ କରାଯାଇଛି । ଭିଜିଲାନ୍ସ ସୂଚନା ମୁତାବକ, ବିଜୟାନନ୍ଦ ନିଜ ଘର ସମେତ ତାଙ୍କ ନିକଟ ସମ୍ପର୍କିୟଙ୍କ ଘରେ ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏଥିପାଇଁ ଏହା ସହ ଯୋଡି ହୋଇଥିବା ସମସ୍ତ ବ୍ୟକ୍ତି ଘର ଉପରେ ଚଢାଉ କରିବାକୁ ଭିଜିଲାନ୍ସ ପକ୍ଷରୁ ସ୍ପେଶାଲ ଭିଜିଲାନ୍ସ କୋର୍ଟ, ଢେଙ୍କାନାଳଙ୍କ ଅନୁମତି ଲୋଡା ଯାଇଥିଲା । କୋର୍ଟଙ୍କ ଅନୁମତି ମିଳିବା ପରେ ଆଜି ସକାଳୁ ଭିଜିଲାନ୍ସ ଅଧିକାରୀମାନେ ୬ଟି ଟିମ୍ ଗଠନ କରି ଭୁବନେଶ୍ୱର, ଅନୁଗୋଳ ଏବଂ ଡେଙ୍କାନାଳରେ ରେଡ୍ କରିଥିଲେ । ଯେଉଁଥିରେ ରହିଛି ଭୁବନେଶ୍ୱର ଆଇଁଗିଣିଆ ସ୍ଥିତ ୩ ମହଲା ବିଶିଷ୍ଟ ଅଟାଳିକା । ଢେଙ୍କାନାଳରେ ୨ ମହଲା ବିଶିଷ୍ଟ ଅଟାଳିକା, ଅନୁଗୁଳରେ ୩ ମହଲା ଅଟାଳିକା । ବିଜୟାନନ୍ଦଙ୍କ କହିବା ଅନୁଯାୟୀ ସେ ତାଙ୍କ ଶାଳୀଙ୍କୁ ଅନୁଗୁଳ ଅଟାଳିକାଟିକୁ ବିକ୍ରି କରିଛନ୍ତି । ଏଥିପାଇଁ ତାଙ୍କ ଶାଳୀ ତାଙ୍କୁ ସାଢେ ୭ ଲକ୍ଷ ଟଙ୍କା ଦେଇଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଏତେ କମ୍ ଟଙ୍କାରେ ସେ କାହିଁକି ଘରଟିକୁ ବିକ୍ରି କଲେ । ସତରେ ଏହାକୁ ବିକ୍ରି କରାଯାଇଛି ନା ଭିଜିଲାନ୍ସ ଅଧିକାରୀଙ୍କୁ ସେ ଭୂଆଁ ବୁଲାଉଛନ୍ତି । ଏହି ଟଙ୍କା କିଭଳି କାରବାର ହେଲା । ସେ ନେଇ ଭିଜିଲାନ୍ସ ଯାଞ୍ଚ ଚଳାଇଛି । ସମ୍ପୃକ୍ତ ବିଲ୍ଡିଂର ଇଲେକ୍ଟ୍ରିବିଲରେ ତାଙ୍କ ପତ୍ନୀଙ୍କ ନାମରେ ରହିଛି ଏବଂ ଏଥିରେ ବେନାମୀ ଟଙ୍କା କାରବାରର ହୋଇଥିବା ନେଇ ଭିଜିଲାନ୍ସକୁ ଆଭାସ ମିଳୁଛି । ସେହିପରି ନାଲକୋ ଟାଉନ୍‌ସିପ୍‌ରେ ଅବସ୍ଥିତ ଥିବା ତାଙ୍କ ଜ୍ୱାଇଁଙ୍କ କ୍ୱାଟରରେ ମଧ୍ୟ ରେଡ୍ କରାଯାଇଛି । ଅନ୍ୟପକ୍ଷରେ ୧୪ଟି ପ୍ଲଟ୍ ମଧ୍ୟରୁ ୬ଟି ତାଙ୍କ ଶଳୀଙ୍କ ନାମରେ ରହିଥିଲା ବେଳେ ୫ଟି ପ୍ଲଟ୍ ତାଙ୍କ ତାଙ୍କ ସଳାଙ୍କ ନାମରେ ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ସେହିପରି ଅଧିକାଂଶ ପ୍ଲଟ କିଣାରେ ବେନାମୀ କାରବାର ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button