ବିଲକିସ୍ ବାନୋ ମାମଲା: ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ଜଜ୍‌

ନୂଆଦିଲ୍ଲୀ: ଗଣବଳାତ୍କାର ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଜଣ ଦୋଷୀଙ୍କୁ ଗୁଜରାଟ ସରକାର ଗତବର୍ଷ ଖଲାସ କରିଥିବା ପ୍ରତିବାଦରେ ପୀଡିତା ବିଲ୍‌କିସ୍ ବାନୋ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି । ତେବେ ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ ବେଲା ତ୍ରିବେଦୀ ଏହି ମାମଲାର ଶୁଣାଣିରୁ ଓହରିଯାଇଥିବା ପ୍ରକାଶ । ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠରେ ମାମଲାର ଶୁଣାଣି ଆରମ୍ଭ ହେବାମାତ୍ରେ ଜଷ୍ଟିସ ତ୍ରିବେଦୀ ଏଥିରୁ ଓହରିଯିବାକୁ ଇଚ୍ଛାପ୍ରକାଶ କରିଥିଲେ । ତେବେ ଜଷ୍ଟିସ ତ୍ରିବେଦୀ ସାମିଲ ନଥିବା ଅନ୍ୟ କୌଣସି ଖଣ୍ଡପୀଠରେ ମାମଲାର ଶୁଣାଣି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଦୋଷୀଙ୍କୁ ଖଲାସ ପ୍ରତିବାଦ ବ୍ୟତୀତ ବିଲ୍‌କିସ୍ ସୁପ୍ରିମକୋର୍ଟରେ ଆଉ ଏକ ରିଭ୍ୟୁ ପିଟିସନ ମଧ୍ୟ ଦାଏର କରିଛନ୍ତି । ଜଣେ ଦୋଷୀଙ୍କ ଖଲାସ ପ୍ରକ୍ରିୟାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାର ପୁନର୍ବିଚାର କରିବାକୁ ରିଭ୍ୟୁ ପିଟିସନରେ ଉଲ୍ଲେଖ କରାଯାଇଥିଲା । ତେବେ ଖଣ୍ଡପୀଠ ବୁଧବାର ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି । ଦୋଷୀଙ୍କୁ ଖଲାସ ପ୍ରତିବାଦରେ ବିଲ୍‌କିସ୍‌ଙ୍କ ବ୍ୟତୀତ ଟିଏମ୍‌ସି ସାଂସଦ ମହୁଆ ମୈତ୍ର, ସିପିଏମ ନେତ୍ରୀ ସୁଭାଷିନୀ ଅଲ୍ଲୀ, ସାମ୍ବାଦିକା ରେବତୀ ଲାଉଲ, ସାମାଜିକ କର୍ମକର୍ତ୍ତା ପ୍ରଫେସର ରୂପରେଖା ବର୍ମା ଏବଂ ନ୍ୟାସନାଲ ଫେଡେରେସନ ଅଫ୍ ଇଣ୍ଡିଆନ୍ ୱିମେନ୍ ସାଧାରଣ ସମ୍ପାଦିକା ଆନ୍ନି ରାଜା ମଧ୍ୟ ସୁପ୍ରିମକୋର୍ଟରେ ପୃଥକ ପିଟିସନ ଦାଏର କରିଛନ୍ତି । ସୂଚନାଯୋଗ୍ୟ ୨୦୦୨ ଗୋଧ୍ରା ଟ୍ରେନ୍‌ପୋଡି ଘଟଣାପରେ ଭଦୋଦରା ସହରରେ ଦୋଷୀମାନେ ବିଲ୍‌କିସ୍‌ଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବାବେଳେ ସେତେବେଳେ ୫ ମାସର ଗର୍ଭବତୀ ବିଲ୍‌କିସ୍‌ଙ୍କୁ ଗଣବଳାତ୍କାର କରିଥିଲେ । ୧୪ ବର୍ଷ ଜେଲଦଣ୍ଡ ଭୋଗିସାରିଥିବା ଏବଂ ଜେଲ୍‌ରେ ସେମାନଙ୍କର ଉତ୍ତମ ଆଚରଣକୁ ଆଧାର କରି ଏମାନଙ୍କୁ ଖଲାସ କରାଯାଇଥିବା ଗୁଜରାଟ ସରକାର କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button