ବିଶ୍ୱବ୍ୟାପୀ ନୂଆବର୍ଷର ଧୁମ୍‌, ୨୦୨୩ର ସ୍ୱାଗତ ପାଇଁ ମିଆଁମାର୍‌ରେ ୪ ଘଣ୍ଟା କର୍ଫ୍ୟୁ କୋହଳ

ସ୍ପେସ୍ ଷ୍ଟେସନ୍‌ରେ ରୁଷୀୟ ମହାକାଶଚାରୀଙ୍କ ଉତ୍ସବ ପାଳନ

ନୂଆଦିଲ୍ଲୀ: ସାରା ବିଶ୍ୱରେ ରବିବାର ନୂଆବର୍ଷ ଉତ୍ସବ ପାଳିତ ହୋଇଛି । ମିଲିଟାରୀ ଶାସିତ ମିଆଁମାରରେ ମଧ୍ୟ ୨୦୨୩କୁ ସ୍ୱାଗତ କରାଯାଇଛି । ଏଠାରେ ଲୋକମାନଙ୍କ ନୂଆବର୍ଷ ଉତ୍ସବ ପାଳନ ପାଇଁ ୪ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି । ସେପଟେ ରୁଷୀୟ ମହାକାଶଚାରୀ ସ୍ପେସ୍‌ରେ ନୂଆବର୍ଷ ଉତ୍ସବ ପାଳନ କରିଛନ୍ତି । ରୁଷ୍‌ର ତିନିଜଣ ମହାକାଶଚାରୀ ସର୍ଗେଇ ପୋକୋପିଏଭ୍‌, ଏନା କିକିନା ଏବଂ ଦିମିତ୍ରୀ ପେଟେଲିନ୍ ନୂଆବର୍ଷର ସ୍ୱାଗତ ପାଇଁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ସଜାଇଥିଲେ । ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡ ସହରରେ ଥିବା ପ୍ରସିଦ୍ଧ ସ୍କାଇ ଟାୱାର୍‌କୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା । ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡର୍ ଅକ୍‌ଲାଣ୍ଡ୍‌ରେ ୨୦୨୩ ପ୍ରଥମେ ପ୍ରବେଶ କରିଥିଲା । ସେହିପରି ଥାଇଲାଣ୍ଡ୍‌ରେ ନୂଆବର୍ଷ ଉତ୍ସବ ପାଳନ ଅବସରରେ ବ୍ୟାଙ୍କକ୍‌ର ଟେମ୍ପଲ୍ ଅଫ୍ ଦ ଡନ୍ ଉପରେ ଆତସବାଜୀ କରାଯାଇଥିଲା । ଚୀନ୍‌ର ବୁହାନ୍ ସହରରେ କରୋନା ସଂକ୍ରମଣ ମଧ୍ୟରେ ନୂଆବର୍ଷ ପାଳନ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା । କରୋନାର ସମ୍ବେଦନଶୀଳ ପରିସ୍ଥିତିରେ ମଧ୍ୟ ହଜାର ହଜାର ଲୋକ ମାସ୍କପିନ୍ଧି ନୂଆବର୍ଷର ସ୍ୱାଗତ କରିଥିଲେ । ଏଠାକାର ରାସ୍ତାଗୁଡ଼ିକୁ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା । ହଂକଂର ଭିକ୍ଟୋରିଆ ହାର୍ବର୍ ଉପରେ ମଧ୍ୟରେ ଆତସବାଜୀ କରାଯାଇଥିଲା । ଅଷ୍ଟ୍ରେଲିଆର ସିଡ୍‌ନୀ ହାର୍ବର୍ ବ୍ରିଜ୍ ନିକଟରେ ୭ ହଜାର ଏବଂ ଅପେରା ହାଉସ୍ ନିକଟରେ ଦୁଇ ହଜାରରୁ ଊର୍ଦ୍ଧ୍ୱ ବାଣ ଫୁଟାଯାଇଥିଲା । ନ୍ୟୁୟର୍କର ଟାଇମ୍ ସ୍କେ୍ୱାୟାର୍‌ରେ ୨୦୨୨ର ଅନ୍ତିମ ଦିନରେ ଲୋକମାନେ ଭିଡ଼ ଜମାଇ ନୂଆବର୍ଷକୁ ସ୍ୱାଗତ କରିଥିଲେ । ଇଣ୍ଡୋନେସିଆର ଦେନପସାର ସହରରେ ସାଂସ୍କୃତିକ ପରେଡ୍ ସହିତ ନୂଆବର୍ଷକୁ ସ୍ୱାଗତ କରାଯାଇଥିଲା । ପାରମ୍ପରିକ ପୋଷାକ ପରିହିତ କଳାକାର୍‌ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button