ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ଭୁବେନଶ୍ବର: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ୭୫ତମ ବିଶ୍ୱପ୍ରସିଦ୍ଧ ଧୁନଯାତ୍ରା । କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼ । ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚରେ କଳା ପ୍ରଦର୍ଶନ କରୁଛନ୍ତି କଳାକାର । ରାମଜୀ ମନ୍ଦିରରେ ଦେବକୀ ଏବଂ ବସୁଦେବଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଦେବବାଣୀରେ କମ୍ପୁଛି ମଥୁରାପୁରୀ । ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ସିଂହାସନ ଆରୋହଣ କରିଛନ୍ତି । ସିଂହାସନ ଆରୋହଣ ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ କରିଛନ୍ତି କ୍ରୂର କଂସ । ହୃଷିକେଶ ଭୋଇ ପୁଣି ଥରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କର ବିକଟାଳ ହସ ସାଙ୍ଗକୁ ଅଭିନୟକୁ ଉପଭୋଗ କରିବା ପାଇଁ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିଛି । ଶ୍ରୀକୃଷ୍ଣ ଭୂମିକାରେ ଥିବା ଶିଶୁ କଳାକାର ସମ୍ରାଟ ମହାପାତ୍ରଙ୍କ ଅଭିନୟ ଦେଖିବାକୁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ସାଂସ୍କୃତିକ ଲୋକଗୀତର ତାଳେ ତାଳେ ଝୁମୁଛି ବରଗଡ଼ ସହର । ଚଳିତବର୍ଷ ଧନୁଯାତ୍ରାର ୭୫ତମ ବର୍ଷ ପୂର୍ତ୍ତିରେ ହୀରକ ଜୟନ୍ତୀ ପାଳନ ହେଉଛି । ଜୀରା ନଦୀ କୁଳରେ ଧନୁଯାତ୍ରାର ଆୟୋଜନ କରାଯାଇଛି । ସେଠାରେ ପଲ୍ଲିଶ୍ରୀ ମେଳା, ହସ୍ତଶିଳ୍ପ ପ୍ରଦର୍ଶନୀ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଲେଜର ଶୋ’ ବ୍ୟବସ୍ଥା ମଧ୍ୟ ହୋଇଛି ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସିସିଟିଭି ନଜରରେ ରହିଛି ଗହଳିପୂର୍ଣ୍ଣ ସ୍ଥାନ । ଯାତ୍ରା ପାଇଁ ଜଣେ ଏସପି, ୬ ଜଣ ଡିଏସପି, ୧୪ ଇନସ୍ପେକ୍ଟରଙ୍କ ସହ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଅପରପକ୍ଷେ ଓଡ଼ିଶା ସରକାର ମଧ୍ୟ ଏଥିପାଇଁ ଦେଉଥିବା ସମ୍ମତି ଧନୁଯାତ୍ରାର ମହନୀୟତାକୁ ପ୍ରମାଣିତ କରେ । ବରଗଡ଼ ଧନୁଯାତ୍ରାର ସବୁଠାରୁ ବଡ଼ ଉପଲବ୍ଧି ହେଉଛି ମଥୁରାର ଅଧିବାସୀମାନେ ନିଜକୁ କଂସ ରାଜାଙ୍କ ପ୍ରଜା ଭାବି ଅନ୍ୟାୟର ପ୍ରତିବିମ୍ବ କଂସାସୁରଙ୍କ ଅତ୍ୟାଚାର, ଅପରାଧ ବିରୋଧରେ ଆଦୌ ପାଟି ନ ଖୋଲି ସମ୍ମାନ ଦେବା । ବିପକ୍ଷରେ କୃଷ୍ଣପ୍ରେମରେ ଉବୁଟୁବୁ ଗୋପପୁରବାସୀ ନିଜକୁ ଗୋପାଙ୍ଗନା ବା ଗୋପାଳ ଭାବେ ଚିତ୍ରଣ କରି ନନ୍ଦରାଜାଙ୍କ ସେବାରେ ଉତ୍ସର୍ଗୀକୃତ ଥିବା ଦୃଶ୍ୟ ଦ୍ୱାପରଯୁଗର ଚିତ୍ର ଉପସ୍ଥାପନ କରେ ।

Related Articles

Leave a Reply

Your email address will not be published.

Back to top button