କାର୍ଯ୍ୟକ୍ରମରେ ଅସୁସ୍ଥ ହୋଇପଡ଼ିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟ ଏକ କାର୍ଯ୍ୟକ୍ରମ ସମୟରେ ହଠାତ୍‌ ବିଗିଡ଼ିଯାଇଛି। ଖବରରୁ ଜଣାପଡ଼ିଛି ଯେ ଗଡ଼କରୀ ପଶ୍ଚିମବଙ୍ଗର ସିଲିଗୁଡ଼ି ଦାଗାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ସେଠାରେ ଅଚାନକ୍‌ ସେ ଅସୁସ୍ଥ ହୋଇ ପଡ଼ିବାରୁ ପାଖ ହସ୍ପିଟାଲରୁ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ତାଙ୍କର ପ୍ରାଥମିକ ଚିକିତ୍ସା ପହଞ୍ଚିଥିଲା। କୁହାଯାଉଛି କି, ସୁଗାର ଲେବଲ କମ୍‌ ହେବା କାରଣରୁ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ନିତିନ ଗଡ଼କରୀ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଯୋଜନାଗୁଡ଼ିକୁ ଉପସ୍ଥାପନ କରିବାକୁ ପହଞ୍ଚିଥିଲେ। ସେଠାରେ ସେ ୧୨୦୬ କୋଟି ଟଙ୍କା ବଜେଟ୍‌ରେ ୩ ଏନ୍‌ଏଚ୍‌ ଯୋଜନାର ଉଦ୍‌ଘାଟନ ସହ ଶିଳାନ୍ୟାସ କରିଥିଲେ। କାର୍ଯ୍ୟକ୍ରମ ପରେ ଗଡ଼କରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଖବର ପାଇ ନିକଟସ୍ଥ ସୁକନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଟିମ୍‌ ପହଞ୍ଚିଥିଲା ଏବଂ ତାଙ୍କର ପ୍ରାଥମିକ ଉପଚାର କରିଥିଲା। ଏବେ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କୁହାଯାଉଛି। ତେବେ ଏହା ପୂର୍ବରୁ ବି ଗଡ଼କାରୀ ଏହିଭଳି ଏକ କାର୍ଯ୍ୟକ୍ରମ ସମୟରେ ଅସୁସ୍ଥ ହୋଇପଡ଼ିଥିଲେ। ୨୦୧୮ ଡିସେମ୍ବରରେ ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ପଡ଼ିଥିଲା। ସେ ଷ୍ଟେଜ୍‌ ଉପରେ ହିଁ ବେହୋସ୍‌ ହୋଇଯାଇଥିଲେ। ଏହି ସମୟରେ ମହାରାଷ୍ଟ୍ରର ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କ ସହିତ ଉପସ୍ଥିତ ଥିଲେ। ଗଭର୍ଣ୍ଣର ହିଁ ତାଙ୍କୁ ଷ୍ଟେଜ୍‌ ଉପରେ ସମ୍ଭାଳିଥିଲେ। ଏହାପରେ ନିତିନ ଗଡ଼କରୀଙ୍କୁ ହସ୍ପିଟାଲ ନିଆଯାଇଥିଲା।

Related Articles

Leave a Reply

Your email address will not be published.

Back to top button