ରାଜ୍ୟ କାର୍ଯ୍ୟାଳୟରେ ପାଳନ ହେଲା ବିଜୟ ଉତ୍ସବ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ଫଳ ଘୋଷଣା ହେବା ପରେ କାର୍ଯ୍ୟକର୍ତ୍ତାଙ୍କ ଭିତରେ ବହୁ ଉତ୍ସାହ ଓ ଉଦ୍ଦୀପନା ଦେଖାଯାଇଥିଲା । ରାଜ୍ୟ ସଭାପତିଙ୍କ ସମେତ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକାଠି ହୋଇ ନେତା ଓ କର୍ମୀମାନେ ନାଚଗୀତ, ବାଣବାଜା ଏବଂ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଥିଲେ ।
ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜୟ ମୁକୁଟ ପିନ୍ଧାଇ ସ୍ୱର୍ଗତଃ ବିଧାୟକ ବିଷ୍ଣ୍ ସେଠୀଙ୍କ ପ୍ରତି ଧାମନଗରବାସୀ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବାବା ଆଖଣ୍ଡଳମଣୀଙ୍କ ଆର୍ଶୀବାଦ କାରଣରୁ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟରେ ଗଣତନ୍ତ୍ରର ବିଜୟ ହୋଇଛି । ଏହି ବିଜୟ ଓଡ଼ିଶା ରାଜନୀତିକୁ ନୂଆ ଦିଗଦର୍ଶନ ଦେବ । ଧାମନଗର ମାଟିର ବିକାଶ ଲାଗି ସର୍ବଦା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସ୍ୱର୍ଗତଃ ବିଧାୟକ ବିଷ୍ଣୁ ସେଠୀ କାର୍ଯ୍ୟ କରି ଆସୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନାକୁ ଏବଂ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଅଧୁରା କାର୍ଯ୍ୟକୁ ଆଗେଇ ନେବା ସହ ଧାମନଗରବାସୀଙ୍କ ଆଶା ଓ ଆକାଂକ୍ଷାର ପୂରଣ ପାଇଁ ସୂର୍ଯ୍ୟବଂଶୀ ସୂରଜ ଯୋଗ୍ୟ ବୋଲି ଧାମନଗର ନିର୍ବାଚନମଣ୍ଡଳୀର ଭୋଟରମାନେ ପ୍ରମାଣିତ କରିଛନ୍ତି । ଏନେଇ ରାଜ୍ୟ ସଭାପତି ସମୀର ମହାନ୍ତି ସ୍ୱାଭିମାନୀ ଧାମନଗରବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଆ ଅସ୍ମିତା ପାଇଁ ରାଜା ମୁକୁନ୍ଦଦେବ ମୋଗଲମାନଙ୍କ ବିରୋଧରେ ଲଢେଇ କରି ଧାମନଗର ମାଟିରୁ ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ । ଆଜି ସେହି ଲଢୁଆ ସ୍ୱାଭିମାନୀ ଧାମନଗରବାସୀ ଇତିହାସର ପୁନରାବୃତି କରି ନୂତନ ଓଡିଶା ଗଠନର ମୂଳଦୁଆ ପକାଇଛି ।
ଆଜିର ଏହି ଐତିହାସିକ ବିଜୟରେ ସର୍ବପ୍ରଥମେ ଧାମନଗରବାସୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସମେତ ସମସ୍ତ ବିଜେପି ନେତୃବୃନ୍ଦ ଓ ଅଗଣିତ କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଓ ପରିଶ୍ରମ ଅତୁଳନୀୟ । ଏଥିପାଇଁ ସମସ୍ତଙ୍କୁ ରାଜ୍ୟ ସଭାପତି ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିବା ସହ ବିଜୟୀ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଫୋନ କରି ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି ।

Related Articles

Leave a Reply

Your email address will not be published.

Back to top button