ଆସନ୍ତା ୧୦ ତାରିଖରେ ଶ୍ରୀମନ୍ଦିର ଆସିବେ ମହାମହିମ ରାଷ୍ଟ୍ରପତି

ପୁରୀ : ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ସେବାୟତଙ୍କ ସହଯୋଗ କାମନା କରାଯାଇଥିଲା । ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସନ୍ତା ୧୦ ତାରିଖ ମଧ୍ୟାହ୍ନ ୧୨ ଟା ରୁ ୧ ଟା ପର୍ଯ୍ୟନ୍ତ ଦର୍ଶନ କରିବେ । ସୁରକ୍ଷା ଦୃଷ୍ଟିରୁ ଦର୍ଶନର ଦେଢ଼ ଘଣ୍ଟା ପୂର୍ବରୁ ପ୍ରାୟ ୧୦ ଟା ୩୦ ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରକୁ ସୋଧ କରାଯାଇ କେବଳ ପାଳିଆ ସେବାୟତମାନେ ଶ୍ରୀମନ୍ଦିର ପରିସରରେ ରହିବେ । ଏଥିସହ ଶ୍ରୀମନ୍ଦିର ପରିସରରେ ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଦର୍ଶନ କରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ କରାଯିବ । ଅନ୍ୟପଟେ ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏ ସମସ୍ତ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ଼. କନୱର ବିଶାଳ ସିଂ, ଅଧିକାଂଶ ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗର ପ୍ରମୁଖ ସଦସ୍ୟ ପ୍ରମୁଖ ସାମିଲ ହୋଇଥିଲେ ।

Related Articles

Leave a Reply

Your email address will not be published.

Back to top button