ଭଦ୍ରକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ: ଆଚରଣବିଧି ଉଲ୍ଲଙ୍ଘନ ହେଉଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର

ଭୁବନେଶ୍ବର: ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଏବଂ ବିଭିନ୍ନ ରାଜନୈତିକ ଦଳଦ୍ୱାରା ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ଆସିଥିବା ଅଭିଯୋଗର ତର୍ଜମା ଓ ସମୀକ୍ଷା କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଳ କୁମାର ଲୋହାନୀ ଆଜି ଭଦ୍ରକ ଗସ୍ତରେ ଆସିଥିଲେ । ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଏସ୍‌ପି ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତି, ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଉପନିର୍ବାଚନ କାର୍ଯ୍ୟ ପରିଚାଳନା ପ୍ରସ୍ତୁତି, ଆଇନ୍ ଶୃଙ୍ଖଳା, ବିଭିନ୍ନ ଦିଗରେ ଧରପଗଡ଼ ବିଷୟରେ ସିଇଓ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଆଲୋଚନା କରିଥିଲେ । ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରି ଭୋଟରକୁ ଲାଞ୍ଚଦେବା, ଭୋଟ ପାଇଁ ଧମକ ଦେବା, ଟଙ୍କା ବାଣ୍ଟିବା, ପ୍ରଲୋଭନ ଦେଖାଇବା ଭଳି ଅଭିଯୋଗର ସତ୍ୟତା ଥିଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଆଦର୍ଶ ଆଚରଣ ବିଧି ଅବମାନନା ହେଉଥିଲେ ସଚେତନ ନାଗରିକମାନେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରଚଳିତ ସି-ଭିଜିଲ ମୋବାଇଲ ଆପ୍ ମାଧ୍ୟମରେ ଭିଡିଓ ଚିତ୍ର ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ପଠାଇ ପାରିବେ । ଅଭିଯୋଗ ମିଳିବାର ୧୦୦ ମିନିଟ୍ ମଧ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ବୈଠକରେ ସିଇଓ ସୂଚନା ଦେଇଥିଲେ । ମତଦାନ କେନ୍ଦ୍ର ପରିଚାଳନା ପାଇଁ ପୋଲିଂ ଦଳକୁ ତାଲିମ ପ୍ରଦାନ, ପୋଲିଂ ମାଟରିଆଲ୍‌, ନଭେମ୍ବର ୧ରେ ବୁଥ୍‌କୁ ପୋଲିଂ ଦଳ ପଠାଇବା, ମଡେଲ ବୁଥ, ପିଙ୍କ୍ ବୁଥ୍‌, ଉତ୍ତେଜନା ପ୍ରବଣ ବୁଥ, ବୁଥ୍‌ରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଥିବା ସ୍ୱତନ୍ତ୍ର ସୁବିଧା, ଡାକ ଭୋଟ୍‌, ମତଦାନ ପାଇଁ ବାହନ ପାସ୍ ପ୍ରଦାନ ପାଇଁ ସଠିକ୍ ଚିହ୍ନଟ୍‌, ଅବକାରୀ ଓ ପୁଲିସ ବିଭାଗ ଦ୍ୱାରା ରୁଜୁ ହୋଇଥିବା ମୋକଦ୍ଦମା, ଧରପଗଡ଼, ଜବତ ପରିମାଣ, ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ମୁତୟନ, ରାଜନୈତିକ ଦଳମାନଙ୍କୁ ସ୍ଥାନ ଓ ଯାନବାହାନ ନେଇ ଅନୁମତି ପ୍ରଦାନ, ଫ୍ଲାଇଂ ସ୍କ୍ୱାର୍ଡ ଓ ଷ୍ଟାଟିଟିକ୍ ସର୍ଭେଲାନସ୍ ସ୍କ୍ୱାର୍ଡର କାର୍ଯ୍ୟଧାରା ଓ ସେମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଆଦି ସମ୍ବନ୍ଧରେ ସିଇଓ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସିଇଓ ଗଣତି କେନ୍ଦ୍ର ପ୍ରସ୍ତୁତି କ୍ଷେତ୍ର ପରିଦର୍ଶନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button