ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ବିରୋଧରେ ବିରୋଧୀଙ୍କ ମେଳି: ଚେନ୍ନାଇରେ ଷ୍ଟାଲିନଙ୍କୁ ଭେଟିଲେ ଖଡ଼ଗେ, ସୋନିଆ ଓ ରାହୁଲ

ଚେନ୍ନାଇ: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ଅଣ୍ଟା ଭିଡ଼ିଛି ବିରୋଧୀ ମେଣ୍ଟ ‘ଇଣ୍ଡିଆ’। ପ୍ରସ୍ତାବିତ ସଂସଦୀୟ କ୍ଷେତ୍ର ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ଗୃହରେ ପଣ୍ଡ କରିବା ଲାଗି ସହଯୋଗୀ ଦଳଗୁଡ଼ିକୁ ଏକଜୁଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ‘ଇଣ୍ଡିଆ’ ମେଣ୍ଟର ଅନ୍ୟ ବରିଷ୍ଠ ନେତାମାନେ ରବିବାର ଚେନ୍ନାଇ ଗସ୍ତରେ ଯାଇଛନ୍ତି। ସେଠାରେ ସେମାନେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ରା କାଝଗମ୍ (ଡିଏମ୍‌କେ) ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କୁ ଭେଟି ଏହି ପ୍ରସଙ୍ଗରେ ଦଳର ପୂର୍ଣ୍ଣ ସମର୍ଥନ ଲୋଡ଼ିଛନ୍ତି। ଚେନ୍ନାଇ ଗସ୍ତ ଶେଷ କରି ଏହି ନେତାମାନେ ରବିବାର ସନ୍ଧ୍ୟାରେ ମୁମ୍ବାଇ ଯାଇ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସମ୍ପର୍କିତ ସଂଶୋଧିତ ବିଧେୟକ ଆଗତ କରିବାକୁ ଯାଉଛନ୍ତି। ପ୍ରସ୍ତାବିତ ବିଧେୟକ ପ୍ୟାକେଜ୍‌ରେ ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍‌-୨୦୨୬, ସୀମା ପୁନଃନିର୍ଦ୍ଧାରଣ (ଦ୍ୱିତୀୟ) ବିଲ୍‌-୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଆଇନରେ ସଂଶୋଧନ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରସ୍ତାବ ଅନୁଯାୟୀ ଲୋକସଭାର ସର୍ବାଧିକ ଆସନ ସଂଖ୍ୟା ୮୫୦କୁ ବୃଦ୍ଧି କରାଯିବ, ଯେଉଁଥିରେ ବିଭିନ୍ନ ରାଜ୍ୟରୁ ୮୧୫ ଜଣ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୩୫ ଜଣ ସଦସ୍ୟ ରହିବେ। ସଂସଦରେ ଏହି ବିଲ୍‌କୁ ପରାସ୍ତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button