ଚୀନ୍‌କୁ ୩-୧ରେ ହରାଇ ଚତୁର୍ଥ ଥର ଚାମ୍ପିଅନ୍ ହେଲା ଭାରତୀୟ ମହିଳା ହକି ଦଳ

ଭୋପାଳ: ମହିଳା ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚତୁର୍ଥ ଥର ପାଇଁ ବିଜୟୀ ହୋଇ ନୂଆ ଇତିହାସ ରଚିଛି। ଭୋପାଳର ନାଥୁଖେଡ଼ା ସ୍ଥିତ କ୍ରୀଡ଼ା ସଂକଳ୍ପରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଭାରତ ୩-୧ ଗୋଲରେ ଚୀନ୍‌କୁ ପରାସ୍ତ କରି ଟାଇଟଲ୍ ହାତେଇଛି। ଦୀପିକାଙ୍କ ଦମଦାର ଦୁଇଟି ଗୋଲ୍ ଏବଂ ଇଶିକାଙ୍କ ଗୋଟିଏ ଗୋଲ୍ ବଳରେ ଭାରତ ଏହି ସଫଳତା ହାସଲ କରିଛି। ଏହାସହ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଥର ଚାମ୍ପିଅନ୍ ହେବାର କୀର୍ତ୍ତିମାନ ଭାରତ ନିଜ ନାମରେ କରିଛି। ପୂର୍ବରୁ ଭାରତ ଓ ଦକ୍ଷିଣ କୋରିଆ ସମାନ ତିନି ଥର ଲେଖାଏଁ ଟ୍ରଫି ଜିତିଥିଲେ। ଭାରତ ୨୦୧୬, ୨୦୨୩ ଏବଂ ୨୦୨୪ରେ ମଧ୍ୟ ବିଜୟୀ ହୋଇଥିଲା।ଫାଇନାଲ୍ ମ୍ୟାଚ୍‌ରେ ଚୀନ୍ ଭାରତ ବିପକ୍ଷରେ ପ୍ରଥମ ଗୋଲ୍ ଦେଇ ଅଗ୍ରଣୀ ହାସଲ କରିଥିଲା। ଚେନ୍ ୟୁଜୁନ୍ ୨୪ ମିନିଟ୍ ୫୫ ସେକେଣ୍ଡରେ ଗୋଲ୍ ସ୍କୋର କରି ଚୀନ୍‌କୁ ୧-୦ରେ ଆଗୁଆ କରିଥିଲେ। ତେବେ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିବା ପାଇଁ ଭାରତୀୟ ଖେଳାଳି ଭରପୂର ପ୍ରୟାସ ଜାରି ରଖିଥିଲେ। ଏଥିପାଇଁ ଭାରତକୁ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଭାରତ ପକ୍ଷରୁ ଦୀପିକା ୩୭ ମିନିଟ୍ ୫୦ ସେକେଣ୍ଡରେ ଗୋଲ୍ ଦେଇ ସ୍କୋରକୁ ୧-୧ କରିଥିଲେ। ଏହାର ପ୍ରାୟ ସାଢ଼େ ତିନି ମିନିଟ୍ ପରେ ଅର୍ଥାତ୍ ୪୧ ମିନିଟ୍ ୧୫ ସେକେଣ୍ଡରେ ଇଶିକା ଆଉ ଏକ ଗୋଲ୍ ସ୍କୋର କରି ଭାରତକୁ ୨-୧ର ଅଗ୍ରଣୀ ଦେଇଥିଲେ। ଏହାପରେ ଖେଳର ୪୨ ମିନିଟ୍ ୨୫ ସେକେଣ୍ଡରେ ଦୀପିକା ତାଙ୍କର ଦ୍ୱିତୀୟ ଗୋଲ୍ ଦେଇ ଭାରତର ଅଗ୍ରଣୀକୁ ୩-୧ରେ ପହଞ୍ଚାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button