ଭାରତ-ଡେନମାର୍କ ସମ୍ପର୍କକୁ ନୂଆ ରୂପ : ସ୍ୱଚ୍ଛ ଶକ୍ତି, ଜଳ ଓ ସବୁଜ ଜାହାଜ ଚଳାଚଳରେ ବଢ଼ିବ ସହଯୋଗ

ନୂଆଦିଲ୍ଲୀ: ଭାରତ ଏବଂ ଡେନମାର୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକେ ରାସମୁସେନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନାରେ ଉଭୟ ଦେଶ ସମ୍ପର୍କକୁ ‘ବ୍ୟାପକ ସବୁଜ ରଣନୈତିକ ଭାଗିଦାରୀ’ ସ୍ତରକୁ ଉନ୍ନୀତ କରିବା ସହ ୨୦୨୭-୩୧ ପାଇଁ ଏକ ମିଳିତ କାର୍ଯ୍ୟ ଯୋଜନା ଗ୍ରହଣ କରିଛନ୍ତି। ଗତ ମେ ମାସରେ ଓସଲୋଠାରେ ଅନୁଷ୍ଠିତ ନର୍ଡିକ୍ ସମ୍ମିଳନୀ ଅବସରରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଛି। ଏହାସହ ପ୍ରତିରକ୍ଷା, ସାମୁଦ୍ରିକ ବ୍ୟାପାର, ଅକ୍ଷୟ ଶକ୍ତି, ନବସୃଜନ, ସ୍ୱାସ୍ଥ୍ୟ, କୃଷି ଓ ମହାକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଡେନମାର୍କକୁ ‘ବିକଶିତ ଭାରତ’ ଅଭିଯାନର ଏକ ପ୍ରମୁଖ ଅଂଶୀଦାର ଭାବେ ଅଭିହିତ କରି ଜୟଶଙ୍କର କହିଛନ୍ତି ଯେ ଜଳ ପରିଚାଳନା, ସ୍ୱଚ୍ଛ ଶକ୍ତି ଏବଂ ସବୁଜ ଜାହାଜ ଚଳାଚଳ କ୍ଷେତ୍ରରେ ଡେନମାର୍କର ବୈଷୟିକ ଦକ୍ଷତା ଭାରତର ବିଶାଳ ବଜାର ଓ ସାମର୍ଥ୍ୟ ସହ ଯୋଡ଼ି ହୋଇ ନୂଆ ସୁଯୋଗ ସୃଷ୍ଟି କରିବ। ଅଧିକ ଦ୍ୱିପାକ୍ଷିକ ବ୍ୟବସାୟିକ ସହଭାଗିତା ପାଇଁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ରାସମୁସେନ୍ ଭାରତକୁ ଏକ ଉଦୀୟମାନ ମହାଶକ୍ତି ତଥା ନିୟମ-ଆଧାରିତ ବହୁପାକ୍ଷିକ ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି କହିଛନ୍ତି। ଉଭୟ ନେତା ରୁଷ-ୟୁକ୍ରେନ ସଂଘର୍ଷ, ଚୀନ୍ ଏବଂ ମଧ୍ୟପ୍ରାଚ୍ୟ ସମେତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button