୮ ବର୍ଷର ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଲୁଟିନେଲେ ୨.୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ତଥା ଲୋମଟାଙ୍କୁରା ଡକାୟତି ଘଟଣା ସାମ୍ନାକୁ ଆସିଛି। ଅନନ୍ତପୁର ଥାନା ଅନ୍ତର୍ଗତ ବାଳଙ୍ଗ ଗ୍ରାମରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ଘରେ ପଶି ୮ ବର୍ଷର ଶିଶୁ ମୁଣ୍ଡରେ ବନ୍ଧୁକ ଲଗାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ନଗଦ ଟଙ୍କା ଓ ସୁନା ଗହଣା ସମେତ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଛନ୍ତି। ସୂଚନା ମୁତାବକ, ବାଳଙ୍ଗ ଗ୍ରାମର ସୁଶ୍ରୀ ସଂଗୀତା ପଲେଇଙ୍କ ଘରେ ଗତକାଲି ରାତିରେ ପରିବାର ସଦସ୍ୟମାନେ ରହିଥିବା ବେଳେ ହଠାତ୍‌ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘର ଭିତରେ ଧସେଇ ପଶିଥିଲେ। ଦୁର୍ବୃତ୍ତମାନଙ୍କ ହାତରେ ବନ୍ଧୁକ ଦେଖି ଘର ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହି ସମୟରେ ଲୁଟେରାମାନେ ଘରେ ଥିବା ସୁଶ୍ରୀଙ୍କ ୮ ବର୍ଷର ପୁଅ ସୁଶାନ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। କୁନି ପୁଅର ଜୀବନ ପ୍ରତି ବିପଦ ଥିବା ଦେଖି ପରିବାର ସଦସ୍ୟମାନେ ନିରୁପାୟ ହୋଇଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସୁଶ୍ରୀ ଏବଂ ତାଙ୍କ ବାପାଙ୍କୁ ବାନ୍ଧି ରଖି ଘର ଭିତରେ ଥିବା ଆଲମାରି ଓ ଗଡ଼ରେଜ୍‌ ଭାଙ୍ଗି ଖୋଜାଖୋଜି କରିଥିଲେ ଏବଂ ଲୁଟ୍‌ପାଟ୍‌ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button