ଭୂକମ୍ପ ଝଟକାରେ ଥରିଲା ନେପାଳ

ନୂଆଦିଲ୍ଲୀ: ଆଜି ଭୋର୍‌ରୁ ଏକ ଶକ୍ତିଶାଳୀ ଭୂମିକମ୍ପରେ ପଡ଼ୋଶୀ ଦେଶ ନେପାଳ ସମେତ ଭାରତ, ଭୁଟାନ, ବାଂଲାଦେଶ ଏବଂ ଚୀନ୍‌ର କିଛି ଅଞ୍ଚଳ ଦୋହଲି ଉଠିଛି। ସକାଳ ପ୍ରାୟ ୭ଟା ୨ ମିନିଟ୍‌ ସମୟରେ ନେପାଳର କୋଶି ପ୍ରଦେଶରେ ୫.୪ ତୀବ୍ରତାର ଏହି ଭୂକମ୍ପ ସୃଷ୍ଟି ହୋଇଥିଲା। ହଠାତ୍‌ ଘରଦ୍ୱାର ଥରିବାକୁ ଲାଗିବାରୁ ଲୋକମାନେ ଭୟଭୀତ ହୋଇ ତୁରନ୍ତ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପର ଉତ୍ପତ୍ତି ହୋଇଥିଲା। ପୂର୍ବ ନେପାଳର ସିକିମ ସୀମାବର୍ତ୍ତୀ ଅଞ୍ଚଳରେ ଏହାର କେନ୍ଦ୍ରସ୍ଥଳ ରହିଥିବାରୁ ହିମାଳୟ ପାଦଦେଶର ବିସ୍ତୀର୍ଣ୍ଣ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ଏହି ପ୍ରଭାବରେ ଭାରତର ସିକିମ, ବିହାର ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଲୋକମାନେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ଏହା ବ୍ୟତୀତ ଭୁଟାନ, ବାଂଲାଦେଶ ଏବଂ ଚୀନ୍‌ର ସୀମାନ୍ତ ଅଞ୍ଚଳରୁ ମଧ୍ୟ କମ୍ପନ ଅନୁଭୂତ ହୋଇଥିବା ଖବର ମିଳିଛି। ଅଚାନକ ହୋଇଥିବା ଏହି ଭୂକମ୍ପ ଯୋଗୁଁ କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲେ ମଧ୍ୟ, ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଧନଜୀବନ ହାନି କିମ୍ବା ବଡ଼ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button