ନାତିକୁ ସ୍କୁଲ ଛାଡ଼ିବାକୁ ଯିବା ବେଳେ ଅଜଣା ଗାଡ଼ି ଧକ୍କାରେ ଅଜା-ନାତିଙ୍କ ମୃତ୍ୟୁ

ସମ୍ବଲପୁର: ନାତିକୁ ସ୍କୁଲରେ ଛାଡ଼ିବାକୁ ଯାଉଥିବା ବେଳେ ଘଟିଲା ଅଘଟଣ। ଏକ ଅଜଣା ଗାଡ଼ି ଧକ୍କାରେ ଅଜା ଓ ନାତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ଗୋଶାଳା ବାବୁବନ୍ଧ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ହୃଦୟବିଦାରକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମୃତ ଅଜା ଓ ନାତିଙ୍କ ଘର ସାନଟିକିରି ଗାଁରେ। ଅଜା ନିଜ ନାତିକୁ ସ୍କୁଲରେ ଛାଡ଼ିବା ପାଇଁ ସାଙ୍ଗରେ ନେଇ ଯାଉଥିବା ବେଳେ ଗୋଶାଳା ବାବୁବନ୍ଧ ନିକଟରେ ରାସ୍ତା ପାର୍ ହେଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ଗାଡ଼ି ସେମାନଙ୍କୁ ଜୋର୍ଦାର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗୁରୁତର ଆହତ ହୋଇଥିଲେ ଏବଂ ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିଟିକୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କ ଏଭଳି ଅକାଳ ବିୟୋଗ ସାନଟିକିରି ଗାଁ ସମେତ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।



