କାର୍ତ୍ତିକ ବ୍ରତ ପାଇଁ ୩.୩୦ କୋଟି ଟଙ୍କା ଅର୍ଥରାଶି ଅନୁମୋଦନ

ଭୁବନେଶ୍ୱର: ଚଳିତ ବର୍ଷ ପୁରୀରେ ପାଳିତ ହେଉଥିବା ପବିତ୍ର କାର୍ତ୍ତିକ ମାସ ହବିଷ୍ୟାଳୀ ବ୍ରତ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ତିନି କୋଟି ତିରିଶ ଲକ୍ଷ ଟଙ୍କାର ଅର୍ଥରାଶି ଅନୁମୋଦିତ ହୋଇଛି। ଶ୍ରୀକ୍ଷେତ୍ରରେ ଏକତ୍ରିତ ହୋଇଥିବା ହବିଷ୍ୟାଳୀ ମା’ମାନଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଓ ସହଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ପାଣ୍ଠି ବ୍ୟବହାର କରାଯାଉଛି। ଦୀର୍ଘ ଏକ ମାସ ଧରି ପୁରୀର ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ରରେ ରହୁଥିବା ମା’ମାନଙ୍କ ପାଇଁ ସୁରକ୍ଷିତ ରହଣି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ବିଘ୍ନ ଦର୍ଶନ, ନିତିଦିନ ମହାପ୍ରସାଦ ସେବନ, ସନ୍ଧ୍ୟାରେ ଭଜନ-କୀର୍ତ୍ତନ ତଥା ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପବିତ୍ର କାର୍ତ୍ତିକ ବ୍ରତ ପାଳନ ସମୟରେ ମା’ମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହାକୁ ପ୍ରଶାସନ ପକ୍ଷରୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଚଳିତ ମାସରେ ପୁରୀରେ ପ୍ରବଳ ଜନସମାଗମ ଓ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହବିଷ୍ୟାଳୀ ମା’ମାନେ ସହଜରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଶୃଙ୍ଖଳା ରକ୍ଷା ନିମନ୍ତେ ସ୍ୱେଚ୍ଛାସେବୀଙ୍କ ମୁତୟନ, ଉତ୍ତମ ପରିମଳ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ ସେବା ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାର ସୁବିଧାକୁ ପ୍ରଶାସନ ପକ୍ଷରୁ ସୁନିଶ୍ଚିତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button