ପୁଣେ ମେଟ୍ରୋ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦେଶର ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୨୧ ହଜାର ୮ଶହ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ପୁଣେ ମେଟ୍ରୋ ପ୍ରକଳ୍ପର ଶୁଭଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ଯେ ଏହି ଅତ୍ୟାଧୁନିକ ମେଟ୍ରୋ ପ୍ରକଳ୍ପ ପୁଣେ ସହରର ସାମଗ୍ରିକ ବିକାଶକୁ ଦ୍ରୁତଗତି ପ୍ରଦାନ କରିବା ସହ ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନଯାପନକୁ ଅଧିକ ସୁଗମ ଓ ଆରାମଦାୟକ କରିବ। ବିଶେଷ କରି ହିଞ୍ଜୱାଡ଼ିରୁ ଶିବାଜୀନଗରକୁ ସଂଯୋଗ କରୁଥିବା କରିଡର ଏହି ସହରର ପ୍ରମୁଖ ସୂଚନା ପ୍ରଦ୍ୟୋଗୀ (ଆଇଟି) କେନ୍ଦ୍ରଗୁଡ଼ିକୁ ଅତି ଉତ୍ତମ ଓ ନିର୍ଭରଯୋଗ୍ୟ ଯାତାୟାତ ସୁବିଧା ଯୋଗାଇଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପୁଣେ ସହରକୁ ଦେଶର ଯୁବ ଆକାଂକ୍ଷା ଏବଂ ପ୍ରଗତିର ପ୍ରମୁଖ କେନ୍ଦ୍ର ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୂଚନା ପ୍ରଦ୍ୟୋଗୀ, ଅଟୋମୋବାଇଲ୍ ଏବଂ ନବସୃଜନ ବା ଷ୍ଟାର୍ଟଅପ୍ କ୍ଷେତ୍ରରେ ପୁଣେ ଆଜି ବିକଶିତ ଭାରତର ଦୃଢ଼ ଶକ୍ତିକୁ ପ୍ରତିନିଧିତ୍ୱ କରୁଛି। ମେଟ୍ରୋ ସଂଯୋଗୀକରଣ ଅଧିକ ସୁଦୃଢ଼ ହେଲେ ସହରର ଆର୍ଥିକ ଅଭିବୃଦ୍ଧିକୁ ଏକ ନୂତନ ଗତି ମିଳିବ। ଗତ ବାର ବର୍ଷ ଭାତରେ ସମଗ୍ର ଦେଶରେ ମେଟ୍ରୋ ନେଟୱାର୍କର କ୍ଷେତ୍ର ବ୍ୟାପକ ଭାବେ ସଂପ୍ରସାରିତ ହୋଇଛି ଏବଂ ବର୍ତ୍ତମାନ ଛବିଶଟି ସହରରେ ପ୍ରାୟ ଏକ ହଜାର ଦୁଇ ଶହ କିଲୋମିଟର ପର୍ଯ୍ୟନ୍ତ ଏହା ବିସ୍ତାରିତ ହୋଇଛି, ଯେଉଁଥିରେ ପ୍ରତିଦିନ ଏକ କୋଟିରୁ ଅଧିକ ଯାତ୍ରୀ ନିରାପଦରେ ଯାତାୟାତ କରୁଛନ୍ତି। ମହାରାଷ୍ଟ୍ର ରାଜ୍ୟର ବିକାଶ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ମସିହାରେ ରାଜ୍ୟରେ ମାତ୍ର ଦଶ କିଲୋମିଟର ମେଟ୍ରୋ ପଥ କାର୍ଯ୍ୟକ୍ଷମ ଥିବାବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇ ଏକ ଶହ ପଞ୍ଚସ୍ତର କିଲୋମିଟରରେ ପହଞ୍ଚିଛି ଏବଂ ଆଗାମୀ ଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ପ୍ରକଳ୍ପ ଅନ୍ତର୍ଗତ ଛଅ ଶହ ଅଶୀ କିଲୋମିଟର ପଥର କାର୍ଯ୍ୟ ଏବେ ଦ୍ରୁତ ଗତିରେ ଜାରି ରହିଛି।



