୨୮ଟି ଏମଏଲସି ଆସନ ନିର୍ବାଚନ ଫଳାଫଳ: ବିଜେପିର ବାଜିମାତ୍, ବିପର୍ଯ୍ୟୟ ସମ୍ମୁଖୀନ ହେଲା କଂଗ୍ରେସ

ନୂଆଦିଲ୍ଲୀ: ଦେଶର ୪ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନ ପରିଷଦ (ଏମଏଲସି) ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ମୋଟ ୨୮ଟି ଆସନ ପାଇଁ ହୋଇଥିବା ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବହୁ ସଂଖ୍ୟାଧିକ ଆସନ ଜିତି ନିଜର ଦବଦବା ବଜାୟ ରଖିଛି। ଅନ୍ୟପଟେ, ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଥିବାରୁ ଦଳକୁ ଏକ ବଡ଼ ଝଟକା ଲାଗିଛି। ତେବେ ବିଜେପି ପ୍ରମୁଖ ସଫଳତା ହାସଲ କରିଥିଲେ ସୁଦ୍ଧା ଦୁଇଟି ହାଇପ୍ରୋଫାଇଲ୍ ଆସନ ହରାଇବାକୁ ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର ଶିକ୍ଷକ ଆସନ ଏବଂ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ନାଗପୁର ସ୍ନାତକ ଆସନରେ ବିଜେପି ପ୍ରାର୍ଥୀ ପରାଜିତ ହୋଇଛନ୍ତି, ଯାହାକି ଶାସକ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।



