ଶିବସେନା ନିର୍ବାଚନ ଚିହ୍ନ ବିବାଦ

ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠକୁ ଗଲା ମାମଲା

ନୂଆଦିଲ୍ଲୀ: ଶିବସେନା ନିର୍ବାଚନ ଚିହ୍ନ ବିବାଦ ମାମଲା ଉପରେ ବିଚାର କରିବା ପୂର୍ବରୁ ଅପେକ୍ଷା କରିବାକୁ ସୁପ୍ରିମ କୋର୍ଟ ମଙ୍ଗଳବାର ନିର୍ବାଚନ କମିଶନ (ଇସି)ଙ୍କୁ କହିଛନ୍ତି । କୋର୍ଟ କହିଛନ୍ତି, ଗୁରୁବାର ଏକ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବ, ଯାହା ପରେ କମିଶନ୍ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇପାରିବେ । ମୁଖ୍ୟ ବିଚାରପତି ଏନ୍‌ଭି ରମନ୍ନା କହିଛନ୍ତି, ନିର୍ବାଚନ ଚିହ୍ନ ସମ୍ପର୍କିତ ନିଷ୍ପତ୍ତି ଇସିଙ୍କର ହୋଇଥିବା ବେଳେ କୋର୍ଟରେ ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ କମିଶନ୍ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଏହି ଟିପ୍ପଣୀ ସହିତ ସେ ଏହି ମାମଲାକୁ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି । ଏବେ ଶିବସେନା ନିର୍ବାଚନ ଚିହ୍ନ ଉପରେ ନିର୍ବାଚନ କମିଶନ (ଇସି) ଶୁଣାଣି ଜାରି ରଖିପାରିବେ କି ନାହିଁ ସାମ୍ବିଧାନିକ ପୀଠ ଗୁରୁବାର ନିଷ୍ପତ୍ତି କରିବ । ମୁଖ୍ୟ ବିଚାରପତି କହିଛନ୍ତି, ସ୍ପିକର୍‌ଙ୍କ ବିରୋଧରେ ପ୍ରସ୍ତାବ ଲମ୍ବିତ ଥିବାବେଳେ ସେ ଅଯୋଗ୍ୟତା ସମ୍ପର୍କରେ ଶୁଣାଣି କରିପାରିବେ କି ନାହିଁ ତାହା ସାମ୍ବିଧାନିକ ଖଣ୍ଡପୀଠ ସ୍ଥିର କରିବ । ସେହିପରି ପାର୍ଟିର ଆଭ୍ୟନ୍ତରୀଣ ଗଣତନ୍ତ୍ର ଏବଂ ସେଥିରେ ନିର୍ବାଚନ କମିଶନଙ୍କ ଭୂମିକା ସମ୍ପର୍କରେ ବିଚାର କରିବା ପାଇଁ ମଧ୍ୟ ସେ ସାମ୍ବିଧାନିକ ପୀଠକୁ କହିଛନ୍ତି । ଶିବସେନା ଉପରେ ଅଧିକାର ଏବଂ ୧୬ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ମାମଲାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ କରିବା ପାଇଁ ସିନ୍ଦେ ଗ୍ରୁପ୍‌ର ଓକିଲ ଦାବି କରିଥିଲେ । ଅନ୍ୟପକ୍ଷରେ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିଲେ, ତ୍ରୁଟିପୂର୍ଣ୍ଣ ଭାବେ ଆମକୁ ଅଯୋଗ୍ୟ ଘୋଷିତ କରାଯାଇଛି । ଆଜି ମଧ୍ୟ ଆମେ ସମସ୍ତେ ଶିବସୈନିକ । ଆମ ପାଖରେ ଶିବସେନା ବିଧାୟକଙ୍କ ବହୁମତ ରହିଛି ଏବଂ ଆମେ ଅସଲ ଶିବସେନା ।

Related Articles

Leave a Reply

Your email address will not be published.

Back to top button