ବିଜେପି ନେତ୍ରୀ ସୋନାଲି ଫୋଗଟ୍‌ଙ୍କ ପରଲୋକ

ପାଣାଜୀ: ବିଜେପି ନେତ୍ରୀ ତଥା ଟିକ୍‌ଟକ୍ ଷ୍ଟାର୍ ସୋନାଲି ଫୋଗଟ୍‌ଙ୍କର ମଙ୍ଗଳବାର ଗୋଆରେ ହୃଦ୍‌ଘାତ କାରଣରୁ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ହରିୟାଣାର ଭୁଥନ ଗ୍ରାମରେ ଏକ ମଧ୍ୟବର୍ତ୍ତୀ ପରିବାରରେ ଜନ୍ମିତ ସୋନାଲି ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଟିକେଟ୍‌ରେ ଆଦମପୁର ଆସନରୁ ପୂର୍ବତନ କଂଗ୍ରେସ ପ୍ରାର୍ଥୀ କୁଲଦୀପ ବିଷ୍ନୋଇଙ୍କ ବିରୋଧରେ ଲଢ଼ିଥିଲେ । ନିର୍ବାଚନ ସମୟରେ ଟିକ୍‌ଟାକ୍‌ରେ ନିଜର ଭିଡିଓକୁ ନେଇ ସେ ବେଶ୍ ଚର୍ଚ୍ଚାରେ ଥିଲେ । ଅବଶ୍ୟ ସେ ନିର୍ବାଚନରେ ପରାଜିତ ହୋଇଥିଲେ । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋନାଲି ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ । ଏହା ସହିତ ସେ ନିଜର ଟ୍ୱିଟର୍ ଆକାଉଣ୍ଟ୍‌ର ପ୍ରେଫାଇଲ୍ ପିକ୍‌ଚର୍ ମଧ୍ୟ ପରିବର୍ତ୍ତନ କରିଥିଲେ । କୁହାଯାଉଛି, ସେ ନିଜର କିଛି ଷ୍ଟାଫ୍‌ଙ୍କ ସହ ଗୋଆ ଯାଇଥିଲେ । ସ୍ଥାନୀୟ ପ୍ରଶାସନ ତାଙ୍କ ମୃତ୍ୟୁର କାରଣ ଯାଞ୍ଚ୍ କରୁଛି । ମିଡିଆ ରିପୋର୍ଟ ଅନୁସାରେ ୨୦୧୬ରେ ସୋନାଲି ଟିଭି ସିରିୟଲରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ବହୁ ହରିୟାଣୀ ଏବଂ ପଞ୍ଜାବୀ ଫିଲ୍ମ ଏବଂ ମ୍ୟୁଜିକ୍ ଭିଡିଓରେ ତାଙ୍କୁ ଦେଖିବାକୁ ମିଳିଥିଲା । ୨୦୨୦ରେ ଟିଭି ସିରିୟଲ୍ ବିଗ୍‌ବସ୍‌-୧୪ ତାଙ୍କୁ ବହୁ ଲୋକପ୍ରିୟ କରିଥିଲା । ୨୦୧୬ରେ ସୋନାଲିଙ୍କ ସ୍ୱାମୀଙ୍କ ମୃତ ଶରୀର ରହସ୍ୟଜନକ ଭାବେ ପରିବାରର ଫାର୍ମ ହାଉସ୍ ନିକଟ ଏକ ପଡ଼ିଆରୁ ମିଳିଥିଲା । ସୋନାଲି ପିତା-ମାତା, ଜଣେ ଭାଇ ସମେତ କନ୍ୟା ଯଶୋଧାରା ଫୋଗଟ୍‌ଙ୍କୁ ଛାଡ଼ିଯାଇଛନ୍ତି । ସୋନାଲିଙ୍କ ଅଚାନକ ମୃତ୍ୟୁରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ହରିୟାଣା ବିଜେପି ମୁଖ୍ୟ ଓପି ଧନକଡ଼ ଗଭୀର ଶୋକପ୍ରକାଶ କରି ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଦିଲ୍ଲୀ ବିଜେପି ମୁଖପାତ୍ର ଅଜୟ ସେରାୱତ୍ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ଏପରି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ପାର୍ଥନା କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button