ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ବଡ଼ ସଂସ୍କାର: ବଦଳିବ ଦଶମ ପାଠ୍ୟକ୍ରମ, ମିଶିବ ଦଶମ ଓ ଦ୍ବାଦଶ

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଆସିବାକୁ ଯାଉଛି। ରାଜ୍ୟରେ ଦଶମ ପାଠ୍ୟକ୍ରମରେ ବ୍ୟାପକ ସଂସ୍କାର ଅଣାଯିବା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏକକ ବୋର୍ଡ ଗଠନ କରାଯିବ। ଆଉ ଆଗକୁ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଲଗା ଅଲଗା ବୋର୍ଡ ଭାବେ ରହିବେ ନାହିଁ। ସିବିଏସଇ ଢାଞ୍ଚାରେ ଏହି ନୂତନ ଏକକ ବୋର୍ଡ ଅଧୀନରେ ହିଁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୪ତମ ପ୍ରତିଷ୍ଠା ଦିବସ ଅବସରରେ ଯୋଗଦେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦୁଇଟି ବୋର୍ଡର ମିଶ୍ରଣ ପାଇଁ ବର୍ତ୍ତମାନ ଖସଡ଼ା ଆଇନ (ଡ୍ରାଫ୍ଟ ଆକ୍ଟ) ପ୍ରସ୍ତୁତି ଚାଲିଛି। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ନୂଆ ବୋର୍ଡ ଗଠନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆଗକୁ ବଢ଼ିବ ଏବଂ ନୂତନ କାର୍ଯ୍ୟାଳୟ ସମ୍ପର୍କରେ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ। ଗୋଟିଏ ବୋର୍ଡ ହେବା ଦ୍ୱାରା ପାଠ୍ୟକ୍ରମ ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନାରେ ରହୁଥିବା ଜଟିଳତା ଦୂର ହେବ। ଏଥିସହିତ ନୂତନ ସିଲାବସ୍ ପ୍ରସ୍ତୁତ କରିବା ପାଇଁ ବିଶେଷଜ୍ଞମାନଙ୍କୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।



