ପାରିବାରିକ କଳହରୁ ହତ୍ୟାକାଣ୍ଡ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ପାରିବାରିକ କଳହରୁ ଶ୍ରୀହୀନ ହେଲା ସଂସାର। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର କରୁଣ ମୃତ୍ୟୁ ଘଟିଛି। ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କାଞ୍ଚଲୱାଡା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ଜଣକ ହେଲେ ଦେବେ ମାଢି ଏବଂ ଅଭିଯୁକ୍ତ ସ୍ୱାମୀ ହେଲେ ବୁଦୁରା ମାଢି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, କାଞ୍ଚଲୱାଡା ଗାଁର ବୁଦୁରା ମାଢି ଓ ତାଙ୍କ ସ୍ତ୍ରୀ ଦେବେଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥାବାର୍ତ୍ତା ବେଳେ ବାକ୍‌ଯୁଦ୍ଧ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ବୁଦୁରା ଘରେ ଥିବା ଏକ ଟାଙ୍ଗିଆରେ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ଦେବେଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଅଭାବନୀୟ ଘଟଣା ସମ୍ପର୍କରେ ଜାଣିବା ପରେ ମୃତ ଦେବେଙ୍କ ଭାଇ ଦେବା ମାଡକାମି ତୁରନ୍ତ ଥାନାରେ ସୂଚନା ଦେଇଥିଲେ। ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତ ବୁଦୁରାଙ୍କୁ ଗିରଫ କରିଛି। ପାରିବାରିକ ବିବାଦକୁ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ବୁଦୁରା ପୋଲିସ ଆଗରେ ସ୍ୱୀକାର କରିଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button