ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଜସ୍ୱ ନିରୀକ୍ଷକ (ଆରଆଇ)। ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲ ଅନ୍ତର୍ଗତ ସିରିଝୋଲି ସାର୍କିଲର ଆରଆଇ ସୁଶାନ୍ତ ମଲ୍ଲିକ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ଜଣେ ହିତାଧିକାରୀଙ୍କ ଠାରୁ ଜମି ପଟ୍ଟା ପରିବର୍ତ୍ତନ କରିବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ଧରିଛି। ପୁରୁଣା ତହସିଲ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇ ଲାଞ୍ଚ ଟଙ୍କା ଜବତ କରାଯିବା ସହ ସିରିଝୋଲି କାର୍ଯ୍ୟାଳୟ ଏବଂ ଗୁଣପୁର ଶ୍ରୀନଗରରେ ଥିବା ତାଙ୍କ ଭଡ଼ା ଘରେ ମଧ୍ୟ ଏକକାଳୀନ ସର୍ଚ୍ଚ ଅପରେସନ ଚାଲିଛି। ଏହି ଚଢ଼ାଉରେ ରାୟଗଡ଼ା, ଭବାନୀପାଟଣା ଓ ଜୟପୁର ଭିଜିଲାନ୍ସ ବିଭାଗର ୨ ଜଣ ଡିଏସପି, ୩ ଇନ୍ସପେକ୍ଟର ଓ ୩ ଏଏସଆଇଙ୍କ ସମେତ ୧୫ ଜଣିଆ ଟିମ୍ ସାମିଲ ଅଛନ୍ତି।



