ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ଭୁବନେଶ୍ବର: ଜୁଲାଇ ୧୬ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର। ପୁରୀ ଗସ୍ତରେ ଆସି ସେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ବିଭିନ୍ନ ସୁବିଧା ନେଇ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ପରିଦର୍ଶନ କରିବା ସହ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ଏବଂ ଏହାର କ୍ଷମତା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଯେପରି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହୋଇପାରିବେ ଏବଂ କୌଣସି ଅସୁବିଧା ନହୁଏ, ସେନେଇ ପ୍ରସ୍ତୁତିର ଅଗ୍ରଗତି ଉପରେ ସେ ଆଲୋଚନା କରିଛନ୍ତି। ପରେ ସେ ଶ୍ରୀମନ୍ଦିର ଯାଇ ପଟି ଦିଅଁଙ୍କ ଦର୍ଶନ କରିଥିଲେ। ଚଳିତ ବର୍ଷର ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।



