ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ଅନୁଗୋଳ, ସମ୍ବଲପୁର ଓ ଯାଜପୁର ଜଳବନ୍ଦୀ

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ଅନୁଗୋଳ ଜିଲ୍ଲାରେ ସ୍ଥିତି ସଂଗୀନ ହୋଇପଡ଼ିଛି। କେଉଁଠି ଲୋକଙ୍କ ଘରେ ପାଣି ପଶିଛି ତ କେଉଁଠି ପୂରା ଅଞ୍ଚଳ ଜଳମଗ୍ନ ହୋଇଛି। ଗତ ୪ ଦିନ ହେଲା ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବା ବେଳେ କେବଳ ଅନୁଗୋଳ ସହରରେ ଆଜି ସକାଳୁ ସନ୍ଧ୍ୟା ସୁଦ୍ଧା ୧୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଫଳରେ ସହରର ହୁଲୁରୁସିଂହା, ମିଶ୍ରପଡ଼ା, ବ୍ରାହ୍ମଣୀଦେଇପଡ଼ା ଏବଂ ଗାନ୍ଧୀମାର୍ଗ ଆଦି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ସହରର ପ୍ରାୟ ୫୦୦ରୁ ଅଧିକ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ନିଷ୍କାସନ ବ୍ୟବସ୍ଥା ଫେଲ୍ ମାରିଥିବାରୁ ଛୋଟ ଛୋଟ ପିଲାଙ୍କୁ ନେଇ ଚଳିବା କଷ୍ଟକର ହୋଇପଡ଼ିଛି। ଅଧିକାଂଶ ଲୋକଙ୍କ ଘର ଭିତରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ସେମାନେ ବାହାରକୁ ବାହାରି ପାରୁନାହାନ୍ତି। ଏପରିକି ଗୃହପାଳିତ ପଶୁମାନଙ୍କୁ ପ୍ରାଣ ବିକଳରେ ଛାତ ଉପରେ ରଖିବାକୁ ପଡ଼ିଛି। ଏଭଳି ସଂକଟଜନକ ସ୍ଥିତି ଉପୁଜିଥିଲେ ମଧ୍ୟ ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସୁଖଦୁଃଖ ବୁଝି ନଥିବା ଅଭିଯୋଗ ହୋଇଛି। ଘର ଭିତରେ ବିଷାକ୍ତ ସରୀସୃପ ପଶିଯାଉଥିବାରୁ ଆତଙ୍କ ଦେଖାଦେଇଛି। ଏପଟେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ସହ ପିଇବା ପାଣି ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଡ୍ରେନଗୁଡ଼ିକ ପୋତି ହୋଇ ପଡ଼ିଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ। ଯଦି ଆଉ ଦିନେ କି ଦୁଇ ଦିନ ବର୍ଷା ଲାଗି ରହେ, ତେବେ ସ୍ଥିତି ଆହୁରି ଭୟାବହ ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକଟ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button