ଅକ୍ଟୋବର ସୁଦ୍ଧା ଶେଷ ହେବ ସବ୍-ଇନ୍ସପେକ୍ଟର ପରୀକ୍ଷା, ବୟସ ସୀମା ଅତିକ୍ରମ କରିଥିଲେ ବି ମିଳିବ ସୁଯୋଗ

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (SI) ପଦବୀ ପାଇଁ ପ୍ରସ୍ତୁତ ହେଉଥିବା ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ୨୦୨୬ ବର୍ଷର ଅକ୍ଟୋବର ମାସ ସୁଦ୍ଧା ସମସ୍ତ SI ପରୀକ୍ଷା ପ୍ରକ୍ରିୟା ଶେଷ କରାଯିବ ବୋଲି OUSSSC (ଓଡ଼ିଶା ଉପପୁଲିସ ସେବା ଚୟନ ଆୟୋଗ) ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ବିଶେଷ କରି ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇପାରିବେ। ଏପରିକି ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯେଉଁ ଆଶାୟୀମାନଙ୍କର ବୟସ ସୀମା ଅତିକ୍ରମ କରିସାରିଛି, ସେମାନଙ୍କୁ ମଧ୍ୟ ସରକାର ସ୍ୱତନ୍ତ୍ର ଭାବେ ପରୀକ୍ଷା ଦେବାକୁ ସୁଯୋଗ ଦେବେ। ତେବେ ପୂର୍ବ ନିର୍ଦ୍ଧାରିତ ସିଲାବସ୍ କିମ୍ବା ପରୀକ୍ଷା ପାଟର୍ନରେ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ଏଥର ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରୀକ୍ଷା ପରିଚାଳନା କରାଯିବ ବୋଲି କମିଶନ ସ୍ପଷ୍ଟ ପ୍ରତିଶ୍ରୁତି ଦେଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୫ ମସିହା ସେପ୍ଟେମ୍ବର ମାସରେ ଓଡ଼ିଶା ପୋଲିସ SI ନିଯୁକ୍ତି ପରୀକ୍ଷାରେ ଏକ ବଡ଼ ଦୁର୍ନୀତି ସାମ୍ନାକୁ ଆସିଥିଲା। ପରୀକ୍ଷାର ଠିକ୍ ୫ ଦିନ ପୂର୍ବରୁ ବ୍ରହ୍ମପୁର ପୋଲିସ ଏକ ଗୁପ୍ତ ସୂଚନା ଆଧାରରେ ପ୍ରଶ୍ନପତ୍ର ଲିକର ପର୍ଦ୍ଦାଫାଶ କରିବା ପରେ ଓଡ଼ିଶା ପୋଲିସ ତୁରନ୍ତ ଉକ୍ତ ପରୀକ୍ଷାକୁ ବାତିଲ କରିଦେଇଥିଲା। ବର୍ତ୍ତମାନ ଏହି ଦୁର୍ନୀତି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏହାର ତଦନ୍ତ ଚଳାଇଛି। ସିବିଆଇ ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୧୬ ଜଣଙ୍କ ବିରୋଧରେ କୋର୍ଟରେ ପ୍ରାଥମିକ ଚାର୍ଜସିଟ୍ ମଧ୍ୟ ଦାଖଲ କରିସାରିଛି। ଏଭଳି ସ୍ଥିତିରେ ଆୟୋଗଙ୍କ ପକ୍ଷରୁ ଆସିଥିବା ଏହି ନୂଆ ନିଷ୍ପତ୍ତି ପରୀକ୍ଷାର୍ଥୀଙ୍କ ମଧ୍ୟରେ ପୁଣି ଥରେ ନୂଆ ଆଶା ସଞ୍ଚାର କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button