ଦିଲ୍ଲୀ ହାଇକୋର୍ଟଙ୍କ ରାୟ: ‘NEET ପୁନଃପରୀକ୍ଷା ଯୋଗୁଁ ଟେଲିଗ୍ରାମ ଅସ୍ଥାୟୀ ଭାବେ ନିଷେଧ’

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET UG ପୁନଃପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆ ମେସେଜିଂ ଆପ୍ ‘ଟେଲିଗ୍ରାମ’ ଉପରେ ଲାଗିଥିବା ଅସ୍ଥାୟୀ ପ୍ରତିବନ୍ଧକ ବଳବତ୍ତର ରହିବ। କେନ୍ଦ୍ର ସରକାରଙ୍କ ଏହି ନିଷେଧାଦେଶକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମ ପକ୍ଷରୁ ଦାୟର ଆବେଦନକୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ସରକାର ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ଏହି ଆପ୍କୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାମଲାର ଶୁଣାଣି କରି ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଆଇନସମ୍ମତ ଏବଂ ଏଥିରେ ଆଇଟି ଆକ୍ଟ (IT Act) ର ଧାରା 69A ର ସମସ୍ତ ନିୟମ ପାଳନ କରାଯାଇଛି। ସରକାର ପ୍ରତିବନ୍ଧକର ସ୍ପଷ୍ଟ କାରଣ ଦର୍ଶାଇ ନଥିବା ନେଇ ଟେଲିଗ୍ରାମର ଯୁକ୍ତିକୁ ଅଦାଲତ ଅଗ୍ରାହ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗୁରୁବାର (ଜୁନ୍ ୧୮) କୋର୍ଟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।



