G7 ଶିଖର ସମ୍ମିଳନୀ: ୧୬ ମାସ ପରେ ମୋଦି-ଟ୍ରମ୍ପ ଭେଟ

ନୂଆଦିଲ୍ଲୀ: ଦୀର୍ଘ ୧୬ ମାସର ବ୍ୟବଧାନ ପରେ ପୁଣି ଏକାଠି ଦେଖିବାକୁ ମିଳିଛନ୍ତି ଦୁଇ ବିଶ୍ୱ ନେତା । G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ଅନୁଷ୍ଠିତ ହୋଇଯାଇଛି । ବୈଠକ ଅବସରରେ ଉଭୟ ନେତା ବେଶ୍ ଉତ୍ସାହର ସହ ହାତ ମିଳାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ସମ୍ମିଳନୀରୁ ସାମ୍ନାକୁ ଆସିଥିବା ଫଟୋ ଅନୁଯାୟୀ, ଔପଚାରିକ ଗ୍ରୁପ୍ ଫଟୋସେସନ୍ ପରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ କିଛି ସମୟ ପାଇଁ ସଂକ୍ଷିପ୍ତ ଆଲୋଚନା ହୋଇଥିଲା । ଏହି ସମୟରେ ଟ୍ରମ୍ପ ବେଶ୍ ଆତ୍ମୀୟତାର ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ଥାପୁଡ଼ାଉଥିବା ନଜର ଆସିଛନ୍ତି । ଗତ ବର୍ଷ ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୱାଶିଂଟନ୍ ଗସ୍ତ ପରେ, ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ମୁହାଁମୁହିଁ ସାକ୍ଷାତକାର । ଏହି ସାକ୍ଷାତ ଦୁଇ ଦେଶର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।



