ବିଶ୍ୱ ପରିବେଶ ଦିବସ ପାଳିତ: ପରିବେଶ ସୁରକ୍ଷା ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,: ବିଶ୍ୱ ପରିବେଶ ଦିବସ ଅବସରରେ ବ୍ରେନ୍ସ ଆଇକନିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରଠାରେ ଏକ ଭବ୍ୟ ପରିବେଶ ସଚେତନତା କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଏବଂ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଥିଲା। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ବନ ସମ୍ପଦର ସଂରକ୍ଷଣ ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଗଠନ ଉପରେ ଏହି କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା କରାଯାଇଥିଲା। ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଡ଼ଃ (ଇଂ.) ଅଶୋକ କୁମାର ଭୂୟାଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଡିଭିଜନାଲ ଫରେଷ୍ଟ ଅଫିସର ଶ୍ରୀ ଅକ୍ଷୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପ୍ରକୃତି ଓ ପରିବେଶର ସନ୍ତୁଳନ ରକ୍ଷା କରିବା ମାନବ ସମାଜର ପ୍ରମୁଖ ଦାୟିତ୍ୱ। ବନ ଧ୍ୱଂସ, ଅତ୍ୟଧିକ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱ ପାଇଁ ଗୁରୁତର ଚ୍ୟାଲେଞ୍ଜ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ। ବିଶିଷ୍ଟ ସମାଜସେବୀ ଡ଼ଃ ରୀନା ରାଉତରାୟ କହିଥିଲେ ଯେ, ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ; ପ୍ରତ୍ୟେକ ନାଗରିକଙ୍କ ଦୈନନ୍ଦିନ ଜୀବନଶୈଳୀରେ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବା ଆବଶ୍ୟକ। ସେ ପ୍ଲାଷ୍ଟିକ ବର୍ଜନ, ଜଳ ସଂରକ୍ଷଣ ଏବଂ ବୃକ୍ଷରୋପଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ସେଣ୍ଟୁରିଅନ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ ଚାନ୍ସେଲର ଡ଼ଃ ଅଜୟ ନାୟକ କହିଥିଲେ ଯେ, ପରିବେଶ ଶିକ୍ଷା ଏବଂ ସଚେତନତା ହିଁ ଏକ ସୁସ୍ଥ ଓ ସବୁଜ ଭବିଷ୍ୟତର ମୂଳ ଆଧାର। ସେ ଯୁବପିଢ଼ୀଙ୍କୁ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ ହୋଇ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ପ୍ରଫେସର ଦିଲ୍ଲୀପ ନାୟକ, ପ୍ରଫେସର ଜୟନ୍ତୀ ସତ୍ରୁସାଲିଆ, ଭାରତୀୟ ରେଳବାଇ ସେବା (ଆଇ.ଆର୍.ଏସ୍.)ର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରହ୍ଲାଦ ସାହୁ, ଡ଼ଃ ରାହୁଲ ରାୟ ପ୍ରମୁଖ ପରିବେଶ ସୁରକ୍ଷା, ସ୍ଥାୟୀ ବିକାଶ ଏବଂ ସାମାଜିକ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଡ଼ଃ (ଇଂ.) ଅଶୋକ କୁମାର ଭୂୟାଁ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବିଶ୍ୱ ଉଷ୍ଣାୟନ, ଜଳ ସଙ୍କଟ ଓ ପ୍ରଦୂଷଣ ଭଳି ସମସ୍ୟାର ସମାଧାନ ପାଇଁ ସାମୂହିକ ପଦକ୍ଷେପ ନେବା ସମୟର ଆହ୍ୱାନ। ବ୍ରେନ୍ସ ଆଇକନିକ ଚାରିଟେବୁଲ ଟ୍ରଷ୍ଟ ଭବିଷ୍ୟତରେ ମଧ୍ୟ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଜନସଚେତନତା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସେ ସୂଚନା ଦେଇଥିଲେ। ଟ୍ରଷ୍ଟ ସଦସ୍ୟ ଶ୍ରୀ ସୌମେନ ନାୟକ ଏବଂ ଉପ-ସମ୍ପାଦିକା ଶ୍ରୀମତୀ ଅଲିନା ନାୟକ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ। ବହୁ ସଂଖ୍ୟକ ସମାଜସେବୀ, ଶିକ୍ଷାବିତ୍, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ସଚେତନ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ଉପସ୍ଥିତ ସମସ୍ତେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ସ୍ୱଚ୍ଛ ପରିବେଶ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ଏହାପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। “ସବୁଜ ପୃଥିବୀ, ସୁରକ୍ଷିତ ଭବିଷ୍ୟତ” ବାର୍ତ୍ତା ସହ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।



