ମଣିପୁରରେ ପୁଣି ହିଂସାକାଣ୍ଡ: ମହିଳାଙ୍କ ସମେତ ୩ ମୃତ, ବ୍ୟାପକ ସମ୍ପତ୍ତି ନଷ୍ଟ

ନୂଆଦିଲ୍ଲୀ: କ୍ରମାଗତ ଜାତିଗତ ହିଂସା ଦେଇ ଗତି କରୁଥିବା ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଶୁକ୍ରବାର ଭୋର ସମୟରେ ପୁଣି ଥରେ ଭୟାବହ ରକ୍ତପାତ ଦେଖିବାକୁ ମିଳିଛି। ନ୍ୟୁ କେଥେଲମାନବି ଥାନା ଅନ୍ତର୍ଗତ ଲୋଇବୋଲ୍ ଗ୍ରାମ ଉପରେ କିଛି ସଶସ୍ତ୍ର ଆକ୍ରମଣକାରୀ ଅତର୍କିତ ଆକ୍ରମଣ କରିବା ଯୋଗୁଁ ୩ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଉଗ୍ରବାଦୀମାନେ ଗ୍ରାମର ଅନେକ ଘର ପୋଡ଼ି ପାଉଁଶ କରିଦେଇଛନ୍ତି। ସ୍ଥାନୀୟ ସୂତ୍ର ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୪ଟା ୧୦ ମିନିଟ୍ ସମୟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଦୁର୍ବୃତ୍ତମାନେ ଗ୍ରାମକୁ ଘେରିଯାଇ ଆଖିବୁଜା ଗୁଳିଚାଳନା କରିଥିଲେ। ଫଳରେ ଶୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ପ୍ରାଣବିକଳରେ ଆତଙ୍କ ଖେଳିଯାଇଥିଲା। ଗୁଳିମାଡ଼ କରିବା ସହିତ ଆକ୍ରମଣକାରୀମାନେ ଗ୍ରାମର ଅନେକ ଘରକୁ ନିଆଁ ଲଗାଇ ବ୍ୟାପକ ସମ୍ପତ୍ତି ନଷ୍ଟ କରିଛନ୍ତି। ସଶସ୍ତ୍ର ଉଗ୍ରବାଦୀଙ୍କ ଏହି ବର୍ବର ଆକ୍ରମଣରେ ପ୍ରାଣ ହରାଇଥିବା ୩ ଜଣଙ୍କୁ ଲେଟଖୋଙ୍ଗାମ ହାଓକିପ୍, ଟିନମାରୀ ହାଓକିପ୍ ଏବଂ ଜାଙ୍ଗମିନଲାଲ୍ ହାଓକିପ୍ ଭାବେ ଚିହ୍ନଟ କରାଯାଇଛି। ଘଟଣାସ୍ଥଳରେ ହିଁ ଏହି ତିନିଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାକୁ ନେଇ ସମଗ୍ର ସ୍ଥାନୀୟ ଅଞ୍ଚଳରେ ତୀବ୍ର ଶୋକ ଓ ଅସନ୍ତୋଷ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button