ବ୍ରିକ୍ସ ବୈଷୟିକ ସମ୍ମିଳନୀ: ଶ୍ରୀକ୍ଷେତ୍ରରୁ ବିଶ୍ୱକୁ ବିପର୍ଯ୍ୟୟ ପରିଚାଳନାର ସୂତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବ୍ରିକ୍ସ (BRICS) ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ପୁରୀଠାରେ ଆୟୋଜିତ ବ୍ରିକ୍ସ ‘ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ୍’ ର ଏହି ଦ୍ବିତୀୟ ବୈଷୟିକ ସମ୍ମିଳନୀରେ ୧୧ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି। ଆଜିର ବୈଠକରେ ବିଶ୍ବ ବିପର୍ଯ୍ୟୟ ପରିଚାଳନା ଓ ଏହାର ପ୍ରତିହତ ନେଇ ବ୍ୟାପକ ମାନସମନ୍ଥନ ହୋଇଛି। ବିଶେଷ କରି ବାତ୍ୟା ପରିଚାଳନା, ପ୍ରାକ୍-ସୂଚନା ଓ ସତର୍କତା, ସ୍ଥାନାନ୍ତରଣ କାର୍ଯ୍ୟ ଏବଂ ଗୋଷ୍ଠୀ ଭିତ୍ତିକ ସ୍ତରରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ବିଶ୍ୱସ୍ତରୀୟ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ୱ ସମୁଦାୟ ଆଗରେ ଓଡ଼ିଶାର ବାତ୍ୟା ମୁକାବିଲାର ସଫଳ ସୂତ୍ର ଉପସ୍ଥାପନ କରିଛନ୍ତି। ‘ଜଗନ୍ନାଥଙ୍କ ଭୂମିକୁ ଆପଣମାନଙ୍କୁ ସ୍ବାଗତ’ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଓ ଏହାର ପ୍ରଭାବ ହ୍ରାସ କରିବା ଏକ ସାମୂହିକ ପ୍ରୟାସ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ‘ଜିରୋ କାଜୁଆଲିଟି’ ବା ଶୂନ୍ୟ ଜୀବନହାନି ସୁନିଶ୍ଚିତ କରି ଓଡ଼ିଶା ଆଜି ସାରା ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ବୈଠକରୁ ବାହାରିବାକୁ ଥିବା ଉପଯୋଗୀ ନିଷ୍କର୍ସ ଆଗାମୀ ଦିନରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ପାଇଁ ବେଶ୍ ସହାୟକ ହେବ। ଏହାସହିତ ବିପର୍ଯ୍ଯୟ ପରିଚାଳନା କ୍ଷେତ୍ରରେ ବୈଷୟିକ ଅନୁଷ୍ଠାନ, ବୈଜ୍ଞାନିକ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ବାରୋପ କରିଛନ୍ତି।



