ମା’-ପୁଅଙ୍କୁ ଥାନାରେ ‘ଥାର୍ଡଡିଗ୍ରୀ’ ଅଭିଯୋଗ: ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ବର: ନିରୀହ ଲୋକଙ୍କ ଉପରେ ପୋଲିସିଆ ପାୱାର ଦେଖାଇ ଶେଷରେ ନିଲମ୍ବିତ ହେଲେ ମହିଳା ଥାନା ଅଧିକାରିଣୀ। ଜଣେ ସଧବା ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିଦେବା ଏବଂ ତାଙ୍କ ଆଖି ସାମ୍ନାରେ ପୁଅକୁ କ୍ରୁର ଭାବେ ‘ଥାର୍ଡଡିଗ୍ରୀ’ ଦେଇ ସମାଲୋଚନାର ଶିକାର ହୋଇଥିବା ତାଳଚୁଆ ସାମୁଦ୍ରିକ ଥାନା ଅଧିକାରିଣୀ (IIC)ଙ୍କ ଉପରେ ବାଜିଛି ପୋଲିସ ମହାନିର୍ଦ୍ଦେଶକ (DGP)ଙ୍କ ଛାଟ। ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନାଙ୍କ ଏଭଳି ସଂବେଦନହୀନ କାର୍ଯ୍ୟକଳାପକୁ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଚିଠି ସଂଖ୍ୟା ୧୯୩୭ ଅନୁଯାୟୀ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ (ସସପେଣ୍ଡ) କରାଯାଇଛି। ନିଲମ୍ବନ ସମୟରେ ସେ କେନ୍ଦ୍ରାଞ୍ଚଳ ଆଇଜି (IG)ଙ୍କ କାର୍ଯ୍ୟାଳୟରେ ମୁତୟନ ରହିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। କାର୍ଯ୍ୟରେ ଚରମ ଅବହେଳା ଏବଂ ଅସଦାଚରଣ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button