ମୁଖ୍ୟମନ୍ତ୍ରୀ ପଦରୁ ହଟିବେ ସିଦ୍ଧରମୈୟା !

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେବାରେ ଲାଗିଛି। ଏହି ସମୟରେ କଂଗ୍ରେସର ବରିଷ୍ଠ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। କର୍ଣ୍ଣାଟକର ଚାଲିଥିବା ରାଜନୈତିକ ସଂକଟ ମଧ୍ୟରେ କୌଣସି କଂଗ୍ରେସ ନେତାଙ୍କ ପକ୍ଷରୁ ଏହା ହେଉଛି ପ୍ରଥମ ସ୍ପଷ୍ଟ ବୟାନ। ଦେଶପାଣ୍ଡେ ଆହୁରି ମଧ୍ୟ କହିଛନ୍ତି, “ମୁଖ୍ୟମନ୍ତ୍ରୀ ପୂର୍ବରୁ ହିଁ ପଦ ଛାଡିବାକୁ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ସେ ଗୁରୁବାର ତାଙ୍କ ଇସ୍ତଫା ପତ୍ର ଦାଖଲ କରିପାରନ୍ତି। ବର୍ତ୍ତମାନ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।” ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସାକ୍ଷାତ କରିବା ପରେ କର୍ଣ୍ଣାଟକର ଅନ୍ୟତମ ମନ୍ତ୍ରୀ ଏଚ୍.କେ. ପାଟିଲ କହିଛନ୍ତି, “ଆମେ ବୈଠକରେ ଆମର ଚିନ୍ତା ପ୍ରକାଶ କରିଥିଲୁ, କିନ୍ତୁ ମୁଖ୍ୟମନ୍ତ୍ରୀ ଏ ନେଇ ସମ୍ପୂର୍ଣ୍ଣ ନୀରବ ରହିଥିଲେ। ଆମେ ପୁଣି ଥରେ ତାଙ୍କୁ ସାକ୍ଷାତ କରିପାରୁ।”



