ପ୍ରେମିକାକୁ ମାରିବାକୁ ସୁପାରୀ ଦେଇଥିଲା ପ୍ରେମିକ, ବିହାରରୁ ଶାର୍ପ ଶୁଟର୍ ଗିରଫ

ଭୁବନେଶ୍ବର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମର ବହୁଚର୍ଚ୍ଚିତ ସସ୍ମିତା ଦାସ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ । ଅନ୍ୟତ୍ର ନିର୍ବନ୍ଧ ହୋଇଯିବାରୁ ପ୍ରତିଶୋଧ ପରାୟଣ ହୋଇ ସସ୍ମିତାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ପୂର୍ବତନ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ ୨ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା । ବିହାରରୁ ଗିରଫ ହୋଇଥିବା ଜଣେ କୁଖ୍ୟାତ ସୁପାରୀ କିଲର ସହ ମିଶି ସେ ଏହି ସଂଘାତିକ ହତ୍ୟାକାଣ୍ଡ ଘଟାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସପି ଅଙ୍କିତ ବର୍ମା ସୂଚନା ଦେଇଛନ୍ତି । ପୁଲିସର ସୂଚନା ଅନୁଯାୟୀ, ଗତ ମାସ ୧୯ ତାରିଖରେ ସସ୍ମିତାଙ୍କର ଅନ୍ୟତ୍ର ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଏହାର ପରଦିନ ଅର୍ଥାତ୍ ୨୦ ତାରିଖରେ ପୂର୍ବତନ ପ୍ରେମିକ ସୂର୍ଯ୍ୟକାନ୍ତ ତାଙ୍କୁ ଘର ନିକଟସ୍ଥ ଏକ ବିଲକୁ ଡାକି ଆଣିଥିଲା । ସେଠାରେ ପୂର୍ବ ପ୍ରସ୍ତୁତି ମୁତାବକ ସୁପାରୀ କିଲର ଲଲୁ କୁମାର ଓରଫ ଲାଲୁ ଯାଦବ ସହ ମିଶି ସେ ସସ୍ମିତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ।



