ଇରାନର ଖୋଲା ଚେତାବନୀ: ହର୍ମୁଜ ପ୍ରଣାଳୀରେ ପଶିଲେ ଆମେରିକାକୁ କରିଦେବୁ ଧ୍ୱଂସ

ନୂଆଦିଲ୍ଲୀ: ପାରସ୍ୟ ଉପସାଗରରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ହର୍ମୁଜ ପ୍ରଣାଳୀରେ (Strait of Hormuz) ଉଭୟ ଦେଶ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଯଦି ଆମେରିକା ପୁଣି ଥରେ ପାରସ୍ୟ ଉପସାଗରରେ ପ୍ରବେଶ କରିବାକୁ ଚେଷ୍ଟା କରେ, ତେବେ ତାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଇରାନ ଧମକ ଦେଇଛି। ଇରାନ ପକ୍ଷରୁ କୁହାଯାଇଛି ଯେ, ତାଙ୍କର ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣ ହେଉଛି ଅସ୍ତ୍ରବିରତିର ଉଲ୍ଲଂଘନ ଏବଂ ଏକ ପ୍ରକାର ‘ରାଷ୍ଟ୍ରୀୟ ଆତଙ୍କବାଦ’। ଆମେରିକାର ଯେକୌଣସି ଦୁଃସାହସିକ ପଦକ୍ଷେପର ନିର୍ଣ୍ଣାୟକ ଜବାବ ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଶକ୍ତ ଚେତାବନୀ ଦେଇଛନ୍ତି। ସେ ଇରାନକୁ ଶୀଘ୍ର ଆଲୋଚନା ମାଧ୍ୟମରେ ଚୁକ୍ତି ସ୍ୱାକ୍ଷର କରିବାକୁ କହିବା ସହ ନୂଆ ରଣନୀତି ବିଷୟରେ ସୂଚନା ଦେଇଛନ୍ତି। ଚୁକ୍ତି ନହେଲେ ଆମେରିକା ‘ପ୍ରୋଜେକ୍ଟ ଫ୍ରିଡମ୍’ ପୁଣି ଆରମ୍ଭ କରିବ। ଏଥର ଏହା ‘ପ୍ରୋଜେକ୍ଟ ଫ୍ରିଡମ୍ ପ୍ଲସ୍’ ହେବ, ଯାହାର ଅର୍ଥ ପୂର୍ବ ଅପେକ୍ଷା ଆହୁରି କଠୋର ପଦକ୍ଷେପ ଓ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।



