ଇସ୍ରାଏଲ-ଲେବାନନ୍ ଅସ୍ତ୍ରବିରତି ଅବଧି ଆଉ ୩ ସପ୍ତାହ ବୃଦ୍ଧି

ନୂଆଦିଲ୍ଲୀ: ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ଜାରି ରହିଥିବା ଅସ୍ତ୍ରବିରତି ସୀମାକୁ ସୋମବାର ଆଉ ୩ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୭ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଏକ ୧୦ ଦିନିଆ ଅସ୍ତ୍ରବିରତି ଲାଗୁ ହୋଇଥିଲା। ଏହି ଅବଧି ଶେଷ ହେବା ପୂର୍ବରୁ ଆଶ୍ୱସ୍ତିକର ଭାବେ ଏହାକୁ ପୁଣି ବଢ଼ାଇ ଦିଆଯାଇଛି। ଲେବାନନ୍ ରାଷ୍ଟ୍ରପତି ଜୋସେଫ ଆଉନ୍ ଏହି ପଦକ୍ଷେପକୁ ସମର୍ଥନ ଜଣାଇବା ସହ କହିଛନ୍ତି ଯେ, ତାଙ୍କ ଦେଶ ଆଉ କୌଣସି ବୈଦେଶିକ ପ୍ରେରିତ ଯୁଦ୍ଧର ଶିକାର ହେବାକୁ ଚାହୁଁନାହିଁ। ସେ ବର୍ତ୍ତମାନର ଏହି ଅସ୍ଥାୟୀ ବୁଝାମଣାକୁ ଏକ ସ୍ଥାୟୀ ଶାନ୍ତି ଚୁକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ସୁଦ୍ଧା ସୀମାରେ ଉତ୍ତେଜନା ହ୍ରାସ ପାଇନାହିଁ। ଇସ୍ରାଏଲ ସେନା ପକ୍ଷରୁ ଦକ୍ଷିଣ ଲେବାନନ୍ ଏବଂ ବେକା ଅଞ୍ଚଳରେ ଥିବା ହେଜବୋଲ୍ଲା ଘାଟିଗୁଡ଼ିକ ଉପରକୁ ଆକ୍ରମଣ ଜାରି ରହିଛି। ହେଜବୋଲ୍ଲା ପକ୍ଷରୁ ଚୁକ୍ତିର ସର୍ତ୍ତ ଉଲ୍ଲଂଘନ କରାଯାଉଥିବାରୁ ଏହାର ପାଲଟା ଜବାବ ଦିଆଯାଉଛି ବୋଲି ଇସ୍ରାଏଲ ଦାବି କରିଛି। ଅନ୍ୟପଟେ ହେଜବୋଲ୍ଲା ମଧ୍ୟ ଇସ୍ରାଏଲ ସୈନ୍ୟଙ୍କୁ ଲକ୍ଷ୍ୟ କରି ଡ୍ରୋନ୍ ଆକ୍ରମଣ କରିଥିବା ରିପୋର୍ଟ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button