ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା: ପ୍ରେମିକଙ୍କ ମୃତ୍ୟୁ ପରେ ହାରିଲେ ଜୀବନ

ଭୁବନେଶ୍ବର: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ‘ସଖୀ’ ସେଣ୍ଟରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ସେଠାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାଥରୁମ୍ ଭିତରେ ବେକରେ ଓଢ଼ଣୀ ଲଗାଇ ସେ ଜୀବନ ହାରିଛନ୍ତି। ସୂଚନା ଅନୁସାରେ, କିଛି ଦିନ ପୂର୍ବେ ନାବାଳିକା ଜଣକ ନିଜ ପ୍ରେମିକଙ୍କ ସହ ଘରୁ ପଳାଇ ଯାଇଥିଲେ। ତେବେ ପୋଲିସ ଗିରଫଦାରୀ ଭୟରେ ଗତକାଲି ନାବାଳିକାଙ୍କ ପ୍ରେମିକ ଆତ୍ମହତ୍ୟା କରିଥିଲେ। ପ୍ରେମିକଙ୍କ ମୃତ୍ୟୁ ପରେ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ସୁରକ୍ଷା ଦୃଷ୍ଟିରୁ ସଖୀ ସେଣ୍ଟରରେ ରଖିଥିଲା। ସଖୀ ସେଣ୍ଟର ଭଳି ଏକ ସୁରକ୍ଷିତ ସ୍ଥାନରେ ନାବାଳିକା ଜଣକ କିଭଳି ଏଭଳି ଚରମ ନିଷ୍ପତ୍ତି ନେଲେ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରେମିକଙ୍କ ମୃତ୍ୟୁ ଜନିତ ମାନସିକ ଚାପ ସହ୍ୟ କରିନପାରି ସେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।



