ନଳବଣ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ପୁରୀ ଜିଲ୍ଲା ଦୟା ଓ ଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳରେ ଥିବା ନଳବଣରେ ଦୀର୍ଘ ୬ ଦିନ ଧରି ଲାଗିଥିବା ଭୟାବହ ଅଗ୍ନିକାଣ୍ଡ ଶେଷରେ ଆୟତ୍ତ ହୋଇଛି। କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ କଣାସ ଅଗ୍ନିଶମ ବିଭାଗର ୬ ଜଣ ଏବଂ ଟାଙ୍ଗୀର ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍ ନିୟୋଜିତ ହୋଇଥିଲେ। ଚିଲିକାର ଜଳରାଶି ମଧ୍ୟରେ ଥିବା ଦୁର୍ଗମ ସ୍ଥାନ ହୋଇଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ ବେଶ୍ କସରତ କରିବାକୁ ପଡ଼ିଥିଲା। ଚିଲିକା ମଧ୍ୟଭାଗରେ ଥିବା ପ୍ରାୟ ୨ କିଲୋମିଟର ପରିବ୍ୟାପ୍ତ ଏହି ନଳବଣ ହେଉଛି ବିଦେଶାଗତ ପକ୍ଷୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପ୍ରମୁଖ ଆଶ୍ରୟସ୍ଥଳୀ। ଦୀର୍ଘ ସମୟ ଧରି ନିଆଁ ଲାଗି ରହିବା ଫଳରେ ସେଠାରେ ବାସ କରୁଥିବା ପକ୍ଷୀଙ୍କ ଜୀବନ ବିପନ୍ନ ହୋଇପଡ଼ିଥିବା ଆଶଙ୍କା କରାଯାଉଛି। ପକ୍ଷୀ ଶିକାର କରିବା ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ଏହି ନଳବଣରେ ନିଆଁ ଲଗାଇ ଦେଇଥାଇ ପାରନ୍ତି ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଦିଗରେ ତଦନ୍ତ ଜାରି ରହିଛି।



