ପାକିସ୍ତାନରେ ଇରାନ ବୈଦେଶିକ ମନ୍ତ୍ରୀ; ଆମେରିକା ସହ ସିଧାସଳଖ ଆଲୋଚନାକୁ ମନା କଲା ଇରାନ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ଘନେଇଥିବା ବେଳେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। ଆମେରିକା ଓ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହେବାର ସମ୍ଭାବନା ଥିବା ବେଳେ ଇରାନ ଏକ ବଡ଼ ବୟାନ ଦେଇଛି। ଆମେରିକା ସହ କୌଣସି ପ୍ରକାର ସିଧାସଳଖ ଆଲୋଚନା କରାଯିବ ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଆମେରିକା ସହ ଜାରି ରହିଥିବା ଯୁଦ୍ଧ ସ୍ଥିତିର ସମାପ୍ତି ପାଇଁ ସେମାନେ ପାକିସ୍ତାନ ନେତୃତ୍ୱଙ୍କ ସହ ଆଲୋଚନା କରିବେ, ମାତ୍ର ଆମେରିକା ପ୍ରତିନିଧିଙ୍କ ସହ ସିଧାସଳଖ କଥା ହେବେ ନାହିଁ। ଏହି ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ଆରାଘଚି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନା ମୁଖ୍ୟ ଜେନେରାଲ ଅସିମ ମୁନିରଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଶନିବାର ଆମେରିକାର ଏକ ପ୍ରତିନିଧି ଦଳ ମଧ୍ୟ ପାକିସ୍ତାନ ଗସ୍ତରେ ଆସୁଛନ୍ତି। ଉଭୟ ଦେଶର ପ୍ରତିନିଧି ଏକା ସମୟରେ ପାକିସ୍ତାନରେ ଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମେଲ୍ ବଘେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଧିକାରୀ ସ୍ତରୀୟ ଆଲୋଚନା ପାଇଁ ସେମାନେ ଇସଲାମବାଦରେ ପହଞ୍ଚିଛନ୍ତି ଏବଂ ଏଥିରେ ମୁଖ୍ୟତଃ ଆମେରିକା ସହ ଜାରି ରହିଥିବା ଯୁଦ୍ଧ ସଙ୍କଟ ଉପରେ ଗୁରୁତ୍ୱାରୋପ କରାଯିବ।



