ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଘାଟିକୁ ଖସିଲା ଯାତ୍ରୀବାହୀ ବସ୍, ୨୧ ମୃତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ସୋମବାର ସକାଳେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିବାରୁ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୋମବାର ସକାଳ ପ୍ରାୟ ୧୦ଟା ଉଧମପୁର ଜିଲ୍ଲା ରାମନଗର ଅଞ୍ଚଳର କାଗୋର୍ଟ ଗ୍ରାମ ନିକଟ ବସ୍ଟି ରାମନଗରରୁ ଉଧମପୁର ଅଭିମୁଖେ ଯାଉଥିଲା। ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୩ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଧମପୁର ଅତିରିକ୍ତ ଡେପୁଟି କମିଶନର (ଏଡିସି) ପ୍ରେମ ସିଂହ ଚିବ୍ଙ୍କ ସୂଚନା ଅନୁସାରେ, ୩୩ ଜଣ ଆହତଙ୍କ ମଧ୍ୟରୁ ୨୦ ଜଣଙ୍କୁ ରାମନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ରେ ଅନେକ ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀ ଯାତ୍ରା କରୁଥିଲେ।



