ତହସିଲଦାରଙ୍କୁ ହତ୍ୟା ଉଦ୍ୟମ : ୭ ଗିରଫ

ଭୁବନେଶ୍ବର: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିବା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ସଂଘାତିକ କାଣ୍ଡରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ କୋରେଇ ପୋଲିସ୍ ଗିରଫ କରିଛି। ଏହା ସହିତ ଘଟଣାସ୍ଥଳରୁ ୫ଟି ଟ୍ରାକ୍ଟର ଏବଂ ୨ଟି ଜେସିବି ମଧ୍ୟ ଜବତ କରାଯାଇଛି। ଲଘୁ ଖଣିଜ ଚୋରା ଚାଲାଣ ହେଉଥିବା ଖବର ପାଇ ଗତକାଲି ବ୍ୟାସନଗର ତହସିଲଦାର କୋରେଇ ମୀନାବଜାର ଛକ ନିକଟରେ ଚଢ଼ାଉ କରିବାକୁ ଯାଇଥିଲେ। ଏହି ସମୟରେ ଖଣି ମାଫିଆମାନେ ଭୟଭୀତ ନହୋଇ ଓଲଟା ତହସିଲଦାରଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ସରକାରୀ ଅଧିକାରୀଙ୍କ ଉପରେ ଏଭଳି ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାକୁ କୋରେଇ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୭ ଜଣଙ୍କୁ କାବୁ କରାଯାଇଛି। ଆଇନକୁ ହାତକୁ ନେଉଥିବା ମାଫିଆଙ୍କ ବିରୋଧରେ ପୋଲିସର ଏହି ଦୃଢ଼ ଆକ୍ସନକୁ ସାଧାରଣରେ ପ୍ରଶଂସା କରାଯାଇଛି। ତେବେ ଅଞ୍ଚଳରେ ବେଆଇନ ଖଣିଜ କାରବାର ରୋକିବା ପାଇଁ ଆଗକୁ ପ୍ରଶାସନ କିଭଳି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।



